ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ଚିନ୍ତାରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକାଶ କରିଛନ୍ତି। ଏଥିସହ ଅନଲାଇନର ସୁବିଧା ଥାଇ ମଧ୍ୟ କଣ ପାଇଁ ବରିଷ୍ଠ ଓକିଲ ମାନେ ଶାରୀରିକ ଭାବରେ ଉପସ୍ଥିତ ରହୁଛନ୍ତି ବୋଲି ପ୍ରଶ୍ନ ମଧ୍ୟ କରିଥିଲେ।
ତେବେ ବାୟୁ ପ୍ରଦୂଷଣ ସ୍ଥିତିକୁ “ଅତ୍ୟନ୍ତ ଗମ୍ଭୀର” ବୋଲି କହି ଜଷ୍ଟିସ୍ ପି.ଏସ୍. ନରସିଂହ ବରିଷ୍ଠ ଓକିଲମାନଙ୍କୁ ଅନଲାଇନ ସୁବିଧାର ଫାଇଦା ଉଠାଇବାକୁ କହିଛନ୍ତି। କାରଣ ସେଠାରେ ପରିସ୍ଥିତି ବର୍ତ୍ତମାନ ଏତେ ଭୟଙ୍କର ଯେ କେବଳ ମାସ୍କ ପିନ୍ଧିବା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି। ଏନେଇ ସେ ପ୍ରଧାନ ବିଚାରପତି (ସିଜେଆଇ)ଙ୍କ ସହ ଆଲୋଚନା କରିବାକୁ ମଧ୍ୟ କହିଛନ୍ତି। ଗୁରୁବାର ସକାଳେ ଦିଲ୍ଲୀରେ ଘନ କୁହୁଡ଼ି ଘୋଡ଼ାଇ ରହିଥିବାରୁ ସୁପ୍ରିମକୋର୍ଟ ଏଭଳି କହିଥିବା ଜଣାପଡିଛି। ତେବେ ଦିଲ୍ଲୀ ସହରର ବାୟୁ ଗୁଣବତ୍ତା ଲଗାତାର ତୃତୀୟ ଦିନ ପାଇଁ “ଗମ୍ଭୀର” ବର୍ଗରେ ରହିଥିବା ନେଇ ସୂଚନା ମିଳିଛି। ଏହି ଗମ୍ଭୀର ବାୟୁ ଗୁଣବତ୍ତା ସୁସ୍ଥ ବ୍ୟକ୍ତିମାନଙ୍କ ପାଇଁ ଗୁରୁତର ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିବା ସହ ସ୍ୱାସ୍ଥ୍ୟ ସମସ୍ୟା ଏବଂ ହୃଦ୍‌ ସମସ୍ୟାରେ ପୀଡିତ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିପାରେ। ପଡ଼ୋଶୀ ରାଜ୍ୟଗୁଡ଼ିକରେ ନଡ଼ା ଜାଳିବା ଦ୍ୱାରା ପରିସ୍ଥିତି ଆହୁରି ଖରାପ ହେଉଥିବା ନେଇ ରିପୋର୍ଟ ରୁ ଜଣାପଡ଼ିଛି। ରାଜଧାନୀ ଦିଲ୍ଲୀ ପ୍ରଦୂଷଣରେ ଘୋଡ଼ାଇ ହୋଇ ରହିଥିବା ସହ କୋଠାବାଡ଼ି ଏବଂ ରାସ୍ତାଗୁଡ଼ିକ ଦେଖାଯାଉନଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ସକାଳ ୮ଟାରେ ବାୱାନାରେ ସର୍ବାଧିକ ବାୟୁ ଗୁଣବତ୍ତା ସୂଚକାଙ୍କ ୪୬୦ ରେକର୍ଡ କରାଯାଇଥିବାବେଳେ ଏନ୍ଏସ୍ଆଇଟି ଦ୍ୱାରକାରେ ସର୍ବନିମ୍ନ ୨୧୬ ଥିଲା। ତେବେ ସକାଳ ୮ଟାରେ ଆନନ୍ଦ ବିହାରରେ ବାୟୁ ଗୁଣବତ୍ତା ସୂଚକାଙ୍କ ୪୩୧, ବାୱାନାରେ ୪୬୦, ଚାନ୍ଦନୀ ଚୌକରେ ୪୫୫, ଅଶୋକ ବିହାରରେ ୩୪୮, ନର୍ଥ କ୍ୟାମ୍ପସ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ୪୧୪, ଦ୍ୱାରକା ସେକ୍ଟର-୮ରେ ୪୦୦, ଆଇଟିଓ ଓ ମୁଣ୍ଡକାରେ ୪୩୮, ନରେଲାରେ ୪୩୨ଏବଂ ରୋହିଣୀରେ ୪୪୭ ଥିବା ନେଇ ରିପୋର୍ଟରେ ପ୍ରକାଶ ପାଇଛି।

Leave a Reply

Your email address will not be published. Required fields are marked *