ପୁରୀ: ପବିତ୍ର ଧନୁ ସଂକ୍ରାନ୍ତି ଅବସରରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କ ପହିଲି ଭୋଗ ନୀତି । ଏହି ନୀତି ଆସନ୍ତା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ରହିବ । ଏହି ସମୟରେ ମାସଯାକ ମହାପ୍ରଭୁଙ୍କ ନୀତିକାନ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି ।
ସୂର୍ଯ୍ୟେଦୟ ବହୁ ପୁର୍ବରୁ ପାଳନ ହେଉଥିବା ଏହି ନୀତିରେ ରାତ୍ର ୨ଟାରେ ଶ୍ରୀମନ୍ଦିର ଦ୍ୱାର ଫିଟାଯାଇ ଭିତରଶୋଧ, ମଙ୍ଗଳଆଳତି, ରୋଷହୋମ, ମଇଲମ ଓ ତଡ଼ପଲାଗି, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ଓ ବେଶ ଶେଷ ପରେ ପହିଲି ଭୋଗ ଓ ଗୋପାଳ ବଲ୍ଲଭ ଅନୁଷ୍ଠିତ ହୁଏ । ଏହା ସହ ମହାପ୍ରଭୁଙ୍କ ପାଇଁ ବିଭିନ୍ନ ବ୍ୟଞ୍ଜନ, ବଡ଼ଝିଲି, ବଡ଼ବଡ଼ା, କାକରା, ଅମାଲୁ, ଝିଲି, ଏଣ୍ଡୁରି, ଲଡୁ, ବଡ଼ି ଓ ଖଇରଚୂଳ ପରି ବିଭିନ୍ନ ଭୋଗ ଲାଗି ହୋଇଥାଏ ।
