‘ଓଡ଼ିଶା ସମତା ଅଭିଯାନ’ ଶୁଭାରମ୍ଭ : ଭୋଟ ଚୋରି ଓ ଗଣତନ୍ତ୍ରର ଭବିଷ୍ୟତ ଶୀର୍ଷକ ଆଲୋଚନା

ଭୁବନେଶ୍ୱର : ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଶେଷ ଧାଡିରେ ଥିବା ମଣିଷଙ୍କ ନ୍ୟାୟ ପାଇଁ ସମର୍ପିତ ସଂଗଠନ ‘ଓଡ଼ିଶା ସମତା ଅଭିଯାନ’ ଶୁଭାରମ୍ଭ ଅବସରରେ “ଭୋଟ ଚୋରି ଓ ଗଣତନ୍ତ୍ରର ଭବିଷ୍ୟତ” ଶୀର୍ଷକ ଆଲୋଚନା ଚକ୍ର ଆୟୋଜିତ ହୋଇଯାଇଛି। ଗ୍ରୀନ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ ଓ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ ପ୍ରମୁଖ ମଞ୍ଚାସୀନ ରହି ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ପ୍ରାକ୍ତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଜନ ଆନ୍ଦୋଳନ କର୍ମୀ ନରେନ୍ଦ୍ର ମହାନ୍ତି, ଉତ୍କଳ ସର୍ବୋଦୟ ମଣ୍ଡଳ ସଭାପତି ମିହିର ପ୍ରତାପ ଦାସ, କଂଗ୍ରେସ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ମନୀଷା ଦାସ ପଟ୍ଟନାୟକ ଓ ନଳିନୀ ନାୟକ, ଆପ ସଙ୍ଗଠନ ସମ୍ପାଦକ କଲ୍ୟାଣ ଆନନ୍ଦ, କୃଷକ ନେତା ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହିଥିଲେ। ସ୍ୱାଧୀନ ଓ ସାର୍ଵଭୌମ ଭାରତବର୍ଷର ମେରୁଦଣ୍ଡ ହେଉଛି ଏହାର ଗଣତନ୍ତ୍ର ଓ ଗଣତନ୍ତ୍ରର ରକ୍ତ ଧମନୀ ହେଉଛି ଏହାର ସ୍ୱଚ୍ଛ ନିର୍ବାଚନ ପ୍ରକ୍ରିୟା। ସମସ୍ତ ସାବଳକଙ୍କୁ ଭୋଟଦାନ ଅଧିକାର ଦେବା ସମ୍ବିଧାନର ମୂଳ ଲକ୍ଷ୍ୟ ଥିବା ବେଳେ ସାମ୍ବିଧାନିକ ଅନୁଷ୍ଠାନ ନିର୍ବାଚନ କମିଶନ ଏହି ପ୍ରକ୍ରିୟାକୁ ଧୂଳିସାତ କରିବା ଏ ଦେଶର ଗଣତାନ୍ତ୍ରିକ ସାର୍ଵଭୌମତ୍ୱ ଉପରେ ସର୍ବବୃହତ ଆକ୍ରମଣ ଭାବେ ଉଭା ହୋଇଛି। ଗତ ୨୦୨୪ ସାଧାରଣ ନିର୍ବାଚନରେ ଭୋଟଦାନ ପ୍ରକ୍ରିୟାରେ ଗୋଟିଏ ନାମରେ ଓ ଗୋଟିଏ ଫୋଟୋ ଭିତ୍ତିରେ ଏକାଧିକ କ୍ରମିକ ନମ୍ବରରେ ଭୋଟଦାନର ସମୟ ଅବଧି ପୂରଣ ପରେ ଶତକଡା ୨୦ ଭାଗରୁ ଅଧିକ ଭୋଟଦାନ ଏହା ନିର୍ବାଚନ କମିଶନଙ୍କ କାର୍ଯ୍ୟ ଉପରେ ସନ୍ଦେହ ସୃଷ୍ଟି କରିଛି। ଭୋଟଦାନ ପ୍ରକ୍ରିୟା ସରିବା ପରେ ଭୋଟ ଗଣତି ପୂର୍ବରୁ ନିର୍ବାଚନ କମିଶନ ଜାରି କରିଥିବା ଭୋଟଦାତାଙ୍କ ସଂଖ୍ୟା ଠାରୁ ଭୋଟ ଗଣତି ସଂଖ୍ୟା ଅଧିକ ହେବା ବିଶେଷ କରି ଓଡ଼ିଶାରେ ଅର୍ଦ୍ଧାଧିକ ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୧୮ ଟି ସଂସଦୀୟ ନିର୍ବାଚନ ମଣ୍ଡଳୀରେ ଭୋଟଦାନ ସଂଖ୍ୟା ଠାରୁ ଭୋଟ ଗଣତି ସଂଖ୍ୟା ଅଧିକ ରହିବା ଏହା ନିର୍ବାଚନର ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନ ତାଙ୍କ ନିଜ ତ୍ରୁଟି ସୁଧାରିବା ପାଇଁ ପଦକ୍ଷେପ ନେବା ପରିବର୍ତ୍ତେ ଏହି ତ୍ରୁଟି ବିଚ୍ୟୁତିକୁ ଲୋକଲୋଚନକୁ ଆଣିଥିବା ରାଜନୈତିକ ନେତାମାନଙ୍କୁ କ୍ଷମା ମାଗିବା ପାଇଁ ମୁଖ୍ୟ ନିର୍ବାଚନ କମିଶନ ଧମକ ଦେବା ଏହା ଏକ ପ୍ରତିହିଂସା ପରାୟଣ ରାଜନୈତିକ ପଦକ୍ଷେପ ବ୍ୟତୀତ ଅନ୍ୟ କିଛି ନହୋଇପାରେ।

ସେହିପରି ସ୍ପେଶିଆଲ ଇଣ୍ଟେସିଭ ରିଭିଜନ ନାମରେ ଲକ୍ଷ ଭୋଟରଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ସମ୍ବିଧାନ ବିରୋଧୀ ଅଟେ। ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ବେଳେ କୌଣସି ସାବାଳକ ନାଗରିକ ତାଙ୍କ ଭୋଟ ଦାନ ଅଧିକାରରୁ ବଞ୍ଚିତ ନହେବା ପାଇଁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ। ବୁଥସ୍ତରୀୟ ଅଧିକାରୀମାନେ ଘରକୁ ଘର ଯାଇ ମୃତ ବ୍ୟକ୍ତିଙ୍କ ନାମ ଭୋଟର ତାଲିକାରୁ ବାଦ ଦେବା ସହ ନୂତନ ଭୋଟରଙ୍କ ନାମ ତାଲିକାଭୁକ୍ତ କରାଇବା ପାଇଁ ଫର୍ମ ପୂରଣ କରାଇଥାନ୍ତି। ଆବେଦନ ଫର୍ମରେ ଯେଉଁ ସବୁ ପ୍ରମାଣପତ୍ରର ଆବଶ୍ୟକତା ଥାଏ ସେଥିରେ ସମ୍ପୃକ୍ତ ନାଗରିକଙ୍କ ପିତାଙ୍କ ଜନ୍ମ ସାର୍ଟିଫିକେଟ, ନିଜ ଜନ୍ମ ସାର୍ଟିଫିକେଟ ଓ ପାସପୋର୍ଟ ଭଳି ୧୨ ପ୍ରକାରର ପ୍ରମାଣପତ୍ର ମଗାଯାଇଥିବା ବେଳେ ଆଧାର କାର୍ଡ ବା ନିର୍ବାଚନ କମିଶନ ଦ୍ଵାରା ଦିଆଯାଇଥିବା ଭୋଟ ପରିଚୟ ପତ୍ରର ପ୍ରମାଣ ଭାବେ ଗ୍ରହଣ ନକରିବା ପାଇଁ ନିର୍ବାଚନ କମିଶନ ଯେଉଁ ଆଦେଶ ଜାରି କରିଥିଲେ ତାହା ଅନେକ ଗରିବ ଲୋକଙ୍କୁ ଭୋଟ ଦାନ ଅଧିକାରରୁ ବଞ୍ଚିତ କରିବା ପାଇଁ ଉଦ୍ଦିଷ୍ଟ ଥିବାରୁ ସେଥିରେ ମାନ୍ୟବର ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରି ଆଧାର କାର୍ଡ ଅଥବା ଭୋଟ ପରିଚୟ ପତ୍ରକୁ ପ୍ରମାଣ ଭାବେ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ପ୍ରାରମ୍ଭିକ ଭୋଟର ତାଲିକା ପ୍ରକାଶନରୁ ପାଞ୍ଚଦିନ ମଧ୍ୟରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ ହେବ ମାତ୍ର ଏହି ପ୍ରାରମ୍ଭିକ ଭୋଟର ତାଲିକାରେ ଯଦି କାହାର ନାମ ବାଦ ପଡିଛି, ସେ ଅଭିଯୋଗ କଲେ ତାଙ୍କ ଅଭିଯୋଗ ଏକ ମାସ ମଧ୍ୟରେ ଶୁଣାଣି ହେବ। ସେତେବେଳକୁ ନାମାଙ୍କନ ପତ୍ର ଦାଖଲ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ପ୍ରକ୍ରିୟା ସରି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯିବ, ସେତେବେଳେ ଜଣେ ଆଶାୟୀ ପ୍ରାର୍ଥୀ ଆଉ ନିର୍ବାଚନ ପ୍ରତିବଦ୍ଧତା ସୁଯୋଗ ଅଧିକାରରୁ ବଞ୍ଚିତ ହୋଇଯିବେ। ତେଣୁ ନିର୍ବାଚନ କମିଶନଙ୍କ ଏହି ସ୍ପେଶିଆଲ ଇଣ୍ଟେସିଭ ରିଭିଜନ ଓ ଅନେକ ନାଗରିକଙ୍କୁ ପ୍ରତିବଦ୍ଧତା କରିବାର ଗଣତାନ୍ତ୍ରିକ ଅଧିକାରରୁ ବଞ୍ଚିତ କରିବେ ବୋଲି ଏକ ନୂତନ ସଙ୍କଟ ସଙ୍କଟ ଦେଖାଦେଇଛି। ତେଣୁ ସ୍ୱାଧୀନ ଭାରତର ଗଣତନ୍ତ୍ରର ସାର୍ବଭୌମତ୍ୱ ଉପରେ ଏହା ସବୁଠାରୁ ବଡ଼ ଆକ୍ରମଣ ହୋଇଥିବାରୁ ଏହା ବିରୁଦ୍ଧରେ ଦେଶର ସମସ୍ତ ଗଣତନ୍ତ୍ର ପ୍ରେମୀ ନାଗରିକ ଐକ୍ୟବଦ୍ଧ ଆନ୍ଦୋଳନ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ବୋଲି ଉପସ୍ଥିତ ବ୍ୟକ୍ତିବିଶେଷ ବକ୍ତବ୍ୟ ରଖିଥିଲେ। ନିର୍ବାଚନ କମିଶନଙ୍କ ରାଜନୈତିକ ଏତାଦୃଶ ଉଦ୍ଦେଶ୍ୟ ପ୍ରଣୋଦିତ କାର୍ଯ୍ୟକୁ ନିନ୍ଦା କରିବା ସହ ନିଜ ମତ ରଖିଥିଲେ।

ବିଶିଷ୍ଟ ଗାନ୍ଧୀବାଦୀ ନେତା ଡଃ ବିଶ୍ଵଜିତଙ୍କୁ ଗାନ୍ଧୀ ବିଚାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ତଥା ନାଗରିକ ସମାଜ ପାଇଁ ଚାଲିଥିବା ଆନ୍ଦୋଳନ ଭାରତ ଯୋଡୋ ଅଭିଯାନର ରାଷ୍ଟ୍ରୀୟ ସମ୍ପାଦକ ମନୋନୀତ ହୋଇଥିବାରୁ ତାଙ୍କୁ “ପ୍ରଥମ ଓଡ଼ିଶା ସମତା ସମ୍ମାନ ୨୦୨୫”ରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଷ୍ଟ୍ରୀୟ ଯୁବା ସଂଗଠନର ରାଜ୍ୟ ସଂଯୋଜକ ମାନସ ପଟ୍ଟନାୟକ କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ସଭା ସଞ୍ଚାଳନା କରିଥିଲେ। ଓଡ଼ିଶା ସମତା ଅଭିଯାନର ଆବାହକ ସଂଗ୍ରାମ କିଶୋର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *