ଭୁବନେଶ୍ୱର: ରାଜ୍ୟରେ ଧାନ କିଣାକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ମଧ୍ୟରେ ଚାଷୀ ଦହଗଞ୍ଜ ହେଉଥିବା ବେଳେ ସେମାନଙ୍କ କଟା ଘା’ରେ ଚୂନ ମାରିଛନ୍ତି ରାଜ୍ୟ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବଡ଼ ଚାଷୀ ଅର୍ଥାତ୍ ୧୫୦ କ୍ୱିଣ୍ଟାଲଠାରୁ ଅଧିକ ଧାନ ବିକ୍ରି କରୁଥିବା ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ମିଳୁଥିବା ୮୦୦ ଟଙ୍କା ଇନ୍ପୁଟ୍ ସବସିଡ଼ି ମିଳିବ ନାହିଁ ବୋଲି ଯୋଗାଣମନ୍ତ୍ରୀଙ୍କ ଘୋଷଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ନିଜ ଘୋଷଣା ଅନୁଯାୟୀ ଚାଷୀଙ୍କଠାରୁ ସବୁ ଧାନ ଉଠାଇବେ। ମାତ୍ର ୧୫୦ କୁଇଣ୍ଟାଲ ଧାନ ପରେ ଆଉ ୮୦୦ ଟଙ୍କାର ଇନ୍ପୁଟ ସହାୟତା ଦିଆଯିବ ନାହିଁ। ୧୫୦ କୁଇଣ୍ଟାଲ ପର୍ଯ୍ୟନ୍ତ ଚାଷୀ ୩୧୦୦ ଟଙ୍କା ପାଇବେ। ଏହା ପରେ ଆଉ ଯେତେ ଧାନ ଦେବେ, ସରକାର ତାହାକୁ ୨୩୬୯ ଟଙ୍କାରେ କିଣିବେ। ଅର୍ଥାତ୍ ହାରାହାରି ୭ ଏକରରୁ ଅଧିକ ଜମିରେ ଧାନ ଚାଷ କରିଥିବା ଚାଷୀ ସିଧାସଳଖ କ୍ଷତିଗ୍ରସ୍ତ ହେବେ । ମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ ସାରା ରାଜ୍ୟରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହୋଇଛି। ରାଜ୍ୟ ସରକାର ଚାଷୀଙ୍କୁ ଇନ୍ପୁଟ ସହାୟତା ଘୋଷଣା କରିବା ପରେ ଅନେକ ପ୍ରଶଂସା ନେଇଥିଲେ; ହେଲେ ପ୍ରଥମ ବର୍ଷରୁ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ସହ କଟ୍ନୀଛଟ୍ନୀ ପରିମାଣ ବଢ଼ିଗଲା। କ୍ୱିଣ୍ଟାଲ ପିଛା ୧୨-୧୫ କିଲୋ ଧାନ କଟ୍ନୀଛଟ୍ନୀ କରିବା ପରେ ସରକାରଙ୍କ ଉପରେ ଚାଷୀଙ୍କ ଅସନ୍ତୋଷ ବଢ଼ିଥିଲା। ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ଧାନ କିଣା ସ୍ୱାଭାବିକ ହୋଇପାରୁ ନାହିଁ। ପଶ୍ଚିମ ଓଡ଼ିଶାରେ ୨ ମାସ ହେବ ସରକାରୀ ଭାବେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏବେ ପର୍ଯ୍ୟନ୍ତ ସବୁ ଚାଷୀଙ୍କୁ ଟୋକନ ମଧ୍ୟ ମିଳିପାରି ନାହିଁ। ଏହାକୁ ନେଇ ଉପକୂଳରୁ-ପଶ୍ଟିମ ଓ ଦକ୍ଷିଣ ଓଡ଼ିଶା ସବୁଠି ଚାଷୀ ପ୍ରତିକ୍ରିୟାଶୀଳ ହେଉଛନ୍ତି। ଏହାକୁ ପ୍ରଶମିତ କରିବା ବଦଳରେ ଚାଷୀ ନୌଟଙ୍କି କରୁଛନ୍ତି ଓ ଦଲାଲଗିରି କରୁଥିବା ଉପମୁଖ୍ୟମନ୍ତ୍ରୀ ଆକ୍ଷେପ କରିଛନ୍ତି। ଏହି ସମୟରେ ଯୋଗାଣ ମନ୍ତ୍ରୀ ୧୫୦ କ୍ୱିଣ୍ଟାଲରୁ ଅଧିକ ଧାନ ବିକ୍ରି ଉପରେ ଚାଷୀଙ୍କୁ ଇନ୍ପୁଟ ସବସିଡ଼ି ଦିଆଯିବ ନାହିଁ ବୋଲି ଘୋଷଣା ଚାଷୀଙ୍କ କ୍ରୋଧକୁ ବିସ୍ଫୋରିତ କରିଛି। ବର୍ତ୍ତମାନ ସରକାରୀ ନିୟମ ଅନୁଯାୟୀ ଅଣଜଳସେଚିତ ଜମି ମାଲିକଙ୍କଠାରୁ ଏକର ପିଛା ୧୩ କ୍ୱିଣ୍ଟାଲ ଧାନ ନିଆଯାଉଥିବା ବେଳେ ଜଳସେଚିତ ଜମି ମାଲିକଙ୍କ ଠାରୁ ୧୯ କୁଇଣ୍ଟାଲ ଧାନ ନିଆଯାଉଛି। ବାସ୍ତବରେ ରାଜ୍ୟରେ ବର୍ତ୍ତମାନ ଏକର ପିଛା ଉତ୍ପାଦନର ପରିମାଣ ୨୫-୩୦ କୁଇଣ୍ଟାଲ ପର୍ଯ୍ୟନ୍ତ ରହୁଛି। ପୂର୍ବରୁ ଚାଷୀମାନେ ଉତ୍ପାଦିତ ଧାନ ରଖିବାକୁ ବାଧ୍ୟ ହେଉଥିଲେ। ଏହାସହିତ ବଳକା ଧାନକୁ ଶାଗମାଛ ଦରରେ ବିକ୍ରି କରୁଥିଲେ। ମାତ୍ର ଏଥିରେ ପୁଣି କଟକଣା ଲଗାଯାଇଛି।
ବଡ଼ ଚାଷୀଙ୍କୁ ସରକାରୀ ଝଟ୍କା: ମିଳିବନି ୮୦୦ ଟଙ୍କା ଇନ୍ପୁଟ୍ ସବ୍ସିଡି, କ୍ଷତିଗ୍ରସ୍ତ ହେବେ ୭ ଏକରରୁ ଅଧିକ ଚାଷ କରିଥିବା ଚାଷୀ
