କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ପରେ ବି ରାଜ୍ୟରେ ଅପପୁଷ୍ଟିର ଭୟାବହ ଚିତ୍ର

ସୁନ୍ଦରଗଡ଼: ଅପପୁଷ୍ଟିର ନିରାକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲା ପରେ ବି ଅପପୁଷ୍ଟିର ଭୟାବହ ଚିତ୍ର ସାମ୍ନାକୁ ଆସୁଛି। ଯାଜପୁରର ନଗଡ଼ା ପରେ ଏବେ ସୁନ୍ଦରଗଡ଼ର କୋଇଡ଼ା ବ୍ଲକରୁ ଚିନ୍ତାଜନକ ଖବର ଆସୁଛି। କୋଇଡ଼ା ବ୍ଲକର ଖଣି ଅଞ୍ଚଳର ଅନେକ ଗାଁରେ ଶିଶୁମାନେ ଏତେ ଦୁର୍ବଳ ଯେ ସେମାନେ ଠିଆ ହୋଇପାରୁ ନାହାନ୍ତି। କେତେକଙ୍କ ଶରୀର କଙ୍କାଳ ସଦୃଶ। ଅନେକ ଗାଁରେ ଏହିଭଳି ସ୍ଥିତି। ଅଣ୍ଡା, ଲଡ୍ଡୁ ଓ ଛତୁଆ ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଯୋଗାଇ ସରକାର ପ୍ରତି ମାସରେ ୨.୧୨ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି।

ସରକାରୀ ତଥ୍ୟ ଅନୁସାରେ, ସୁନ୍ଦରଗଡ଼ରେ ୩,୬୩୩ରୁ ଅଧିକ ଶିଶୁ ଅପପୁଷ୍ଟିରେ ପୀଡ଼ିତ। ଏଥିମଧ୍ୟରୁ ୬୩୩ ଜଣ ଗୁରୁତର ଅପପୁଷ୍ଟିର ଶିକାର। କୋଇଡ଼ା ବ୍ଲକରେ ୮,୩୫୭ ଶିଶୁଙ୍କ ମଧ୍ୟରୁ ୨୩୧ ଜଣ ଅପପୁଷ୍ଟିରେ ପୀଡ଼ିତ। ୨୦୨୪ରେ ୧୩୦ ଜଣ ଶିଶୁ ଚିହ୍ନଟ ହୋଇଥିଲେ। ୨୦୨୫ରେ ଏପର୍ଯ୍ୟନ୍ତ ୩୯ ନୂଆ ମାମଲା ସାମ୍ନାକୁ ଆସିଛି।

ସରକାରୀ ଯୋଜନା ଓ ଖର୍ଚ୍ଚ ସତ୍ତ୍ୱେ ଅପପୁଷ୍ଟି ଏକ ବଡ଼ ଚ୍ୟାଲେଞ୍ଜ ଭାବରେ ଠିଆ ହୋଇଛି । ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ଖାଦ୍ୟ ବଣ୍ଟନରେ ଅନିୟମିତତା ଅଭିଯୋଗ ପରେ ବି ପ୍ରଶାସନର ତତ୍ପରତା ସତ୍ତ୍ୱେ ସ୍ଥିତିରେ ଉନ୍ନତି ଆସୁ ନାହିଁ। ଏହାକୁ ନେଇ ଅଭିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି।

Leave a Reply

Your email address will not be published. Required fields are marked *