ଝାରସୁଗୁଡ଼ା: ଲଖନପୁର ବ୍ଲକ ଅଧୀନ ବନ୍ଧବାହାଲ ଅଞ୍ଚଳର ଗ୍ଲୋବାଲ କୋଲ୍ ୱାସେରିରେ ଗତ ଏକ ସପ୍ତାହ ଧରି ନିଆଁ ଜଳୁଥିବା ବେଳେ ପ୍ରଶାସନର ଏହା ପ୍ରତି ଦୃଷ୍ଟି ନାହିଁ। ହଜାର ହଜାର ଟନ୍ କୋଇଲା ଜଳି ନଷ୍ଟ ହେଉଥିବା ସହିତ ସରକାରଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ହାନି ହେଉଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତିl ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ୱାସେରିରେ ନିଆଁ ଲାଗିବା ପରେ ଧୁଆଁ ଓ ପାଉଁଶ ଦ୍ୱାରା କୁସ୍ରାଲୋଇ ଓ ଛର୍ଲା ଅଞ୍ଚଳରେ ପ୍ରଦୂଷଣ ଭୟାବହ ରୂପ ନେଇଛି। ଏଥିରେ ଲୋକମାନେ ଶ୍ୱାସକଷ୍ଟ, ଚକ୍ଷୁ ଜ୍ୱାଳା ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହେଉଛନ୍ତି। ଯଦିଓ ନିଆଁ ଲାଗିବାର ନିଶ୍ଚିତ କାରଣ ଅସ୍ପଷ୍ଟ ରହିଛି, ଅଞ୍ଚଳବାସୀଙ୍କ ଅଭିଯୋଗ — ଏମ୍ସିଏଲ୍ ଓ ଜିଲା ପ୍ରଶାସନ ପକ୍ଷରୁ ଯଥୋଚିତ ପଦକ୍ଷେପ ନିଆଯାଇନାହିଁ।ସ୍ଥାନୀୟ ଲୋକ କହିଛନ୍ତି, ଝାରସୁଗୁଡ଼ା ଅଞ୍ଚଳରେ ଅନେକ କମ୍ପାନୀ ଚାଲୁ ରହିଛି ଯେଉଁଠାରୁ ନିର୍ଗତ ଧୁଆଁ ଓ ପାଉଁଶ ଦିନକୁ ଦିନ ଜନସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ହେଉଛି। ୱାସେରିରେ ଜଳିଯାଇଥିବା କୋଇଲାର ମୂଲ୍ୟ କିଏ ଦେବ ଓ ଏହାର ଦାୟିତ୍ୱ କାହାର — ଏହା ନେଇ ପ୍ରଶ୍ନ ଉଠିଛି।ଗ୍ଲୋବାଲ କୋଲ୍ ୱାସେରିର ଏମ୍.ଡି. ପାତ୍ର ସପଷ୍ଟ କରିଛନ୍ତି, “ଆମ କାମ କୋଇଲା ସଫା କରିବା ମାତ୍ର। ନିଆଁ ଲାଗିବା ଘଟଣା ଏମ୍ସିଏଲ୍ ଦେଖିବ।” ଏପରିକି ଏମ୍ସିଏଲ୍ ଇନ୍ଚାର୍ଜ ସତ୍ୟଭୂଷଣ ବାରିକ କହିଛନ୍ତି, “ୱାସେରିରେ ଦୁଇ ପ୍ରକାର କୋଇଲା ରହେ — ୱାଶ୍ କୋଇଲା ଓ ରିଜେକ୍ଟ କୋଇଲା। ଏଥିରେ ଯେଉଁ କୋଇଲା ପୋଡ଼ିଯାଇଛି, ସେହି ରିଜେକ୍ଟ କୋଇଲା ଥିଲା ଯାହାର ଅର୍ଥିକ ମୂଲ୍ୟ ଅତି କମ୍।”ଏହି ଘଟଣା ନେଇ ଏମ୍ସିଏଲ୍ ଜିଏମ୍ ଏ.କେ. ପାଣ୍ଡେ ଓ ଝାରସୁଗୁଡ଼ା ଜିଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ପ୍ରତିକ୍ରିୟା ମିଳିନାହିଁ।ଅଞ୍ଚଳବାସୀ ଦାବି କରିଛନ୍ତି ଯେ, ତୁରନ୍ତ ନିଆଁ ନିର୍ବାପନ ଓ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ଓ ଏମ୍ସିଏଲ୍ ପକ୍ଷରୁ କଠୋର ପଦକ୍ଷେପ ନିଆଯାଉ।
ଝାରସୁଗୁଡ଼ା: କମ୍ପାନୀ ଧୁଆଁରେ ଅତିଷ୍ଠ ଅଞ୍ଚଳବାସୀ, ପ୍ରଶାସନ ସାଜିଛି ନିରବଦ୍ରଷ୍ଟା
Oplus_131072
