ନୂଆଦିଲ୍ଲୀ: ଈଶ୍ୱରନିନ୍ଦା ଅଭିଯୋଗରେ ବାଂଲାଦେଶରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି।ଏପରି ସ୍ଥଳେ ବାଂଲାଦେଶର ପରିସ୍ଥିତି ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇପଡିଛି। ରାଜନୈତିକ କର୍ମୀ ଉସମାନ ହାଦିଙ୍କ ହତ୍ୟା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି। ଏହି ପରିସ୍ଥିତିରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଚିନ୍ତା ପ୍ରକାଶ କରି ଧର୍ମ ଆଧାରରେ ହତ୍ୟା ମାନବତା ବିରୋଧୀ ବୋଲି ମତବ୍ୟକ୍ତ କରିବା ସହିତ ଭାରତ ସରକାରଙ୍କୁ ଏହି ସମସ୍ୟାର ସମାଧାନ କରିବାକୁ ଅନୁରୋଧ କରିଛନ୍ତି।
ପ୍ରିୟଙ୍କା ପଡ଼ୋଶୀ ଦେଶରେ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଈଶ୍ୱରନିନ୍ଦା ଅଭିଯୋଗରେ ହତ୍ୟା କରାଯିବାକୁ “ଅତ୍ୟନ୍ତ ଚିନ୍ତାଜନକ” ବୋଲି ବର୍ଣ୍ଣନା କରିଛନ୍ତି। ଭାରତ ସରକାର ପଡ଼ୋଶୀ ଦେଶରେ ହିନ୍ଦୁ, ଖ୍ରୀଷ୍ଟିଆନ ଏବଂ ବୌଦ୍ଧ ସଂଖ୍ୟାଲଘୁଙ୍କ ବିରୁଦ୍ଧରେ ବୃଦ୍ଧି ପାଉଥିବା ହିଂସା ପ୍ରତି ଧ୍ୟାନ ଦେବା ଉଚିତ ଏବଂ ସେଠାକାର ସରକାରଙ୍କ ନିକଟରେ ସେମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ଦୃଢ଼ ଭାବରେ ଉଠାଇବା ସହିତ ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରିୟଙ୍କା। ଗତ ବର୍ଷ ଶେଖ ହସିନାଙ୍କ ସରକାରର ପତନ ପରଠାରୁ ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଛି, ଯାହା ଫଳରେ ଅନେକଙ୍କର ମୃତ୍ୟୁ ଘଟିଛି।
