ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ପଦଯାତ୍ରା

କଟକ : ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ “ଏକ ଭାରତ ଆତ୍ମନିର୍ଭର ଭାରତ”ର ଭାବନାକୁ ନେଇ ମଙ୍ଗଳବାର କଟକ ଜିଲ୍ଳା ପ୍ରଶାସନ ପକ୍ଷରୁ ଏକତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ନେତାଜୀ ସୁଭାଷ ବୋଷ ସ୍ମାରକୀଠାରୁ ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ଜିଲ୍ଳାପାଳ ଏବଂ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପତାକା ଦେଖାଇ ଏକତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ଡିସିପି ଖିଲାରୀ ଋଷିକେଷ ଦ୍ୟାନଦେଓ, ଉପଜିଲ୍ଳାପାଳ ଟିବ ଟପୋ, ଜିଲ୍ଳା କ୍ରୀଡା ଅଧିକାରୀ ଅଜୟ କୁମାର ବେହେରା, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ବରିଷ୍ଠ ସିନେ ଅଭିନେତା ଶ୍ରୀତମ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ପଦଯାତ୍ରା ନେତାଜୀ ସ୍ମାରକୀଠାରୁ ଆରମ୍ଭ ହୋଇ ବକ୍ସି ବଜାର, ସମାଜ ଅଫିସ୍ ଛକ, ଚଣ୍ଡୀ ଛକ, କନିକା ଛକ, ବିଜୁ ପଟ୍ଟନାୟକ ଛକ, ଆନନ୍ଦ ଭବନ ଛକ ଦେଇ ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ପହଂଚିଥିଲା । ପଦଯାତ୍ରାରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, କ୍ରୀଡା ଛାତ୍ରାବାସର ଅନ୍ତେବାସୀ, ସମାଜସେବୀ, ଶିକ୍ଷକ, ଶିକ୍ଷୟତ୍ରୀ ଓ ଜନସାଧାରଣ ଭାଗ ନେଇଥିଲେ ।

Leave a Reply

Your email address will not be published. Required fields are marked *