ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପୂରା ପଶ୍ଚିମ ଓଡ଼ିଶା ଉତ୍ସବମୁଖର ହୋଇ ଉଠିଛି । ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଗୁରୁବାର ଲାଗି ହୋଇଛି ନବାନ୍ନ। ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରରେ ନୂଆ ଚାଉଳ ସହିତ କ୍ଷୀରି, ପିଠା, ସାରୁଶାଗ ଲାଗି ହେବା ପରେ ମା’ଙ୍କ ନିକଟରେ ପୂଜାର୍ଚ୍ଚନା ପରେ ନିର୍ଦ୍ଧାରିତ ସମୟରେ ନବାନ୍ନ ଲାଗି କରାଯାଇଛି। ଏହା ପରେ ମାଆଙ୍କ ସର୍ବସାଧାରଣ ଦର୍ଶନ ପାଇଁ ମନ୍ଦିର ଦ୍ବାର ଖୋଲାଯାଇଛି ।

ସୁବର୍ଣ୍ଣପୁରରେରେ ଇଷ୍ଟଦେବୀ ମା ସୁରେଶ୍ବରୀଙ୍କ ପାଖରେ ନବାନ୍ନ ଲାଗି ହୋଇଛି । ସେହିପରି ବଲାଙ୍ଗୀର ସମଲେଶ୍ବରୀ ମନ୍ଦିରରେ ଧାର୍ଯ୍ୟ ଲଗ୍ନ ଅନୁସାରେ, ଗୁରୁବାର ପୂର୍ବାହ୍ନ ୯ଟା ୪୭ରୁ ୧୧ଟା୧୧ମିନିଟ୍ ମଧ୍ୟରେ ପାରମ୍ପରିକ ରୀତିରେ ନବାନ୍ନ ଅର୍ପଣ କରାଯାଇଛି। ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଗହଣରେ ମୁଖ୍ୟ ପୂଜକ ଦେବୀଙ୍କୁ ନୂଆକୁଣ୍ଡା ଅର୍ପଣ କରି ସମସ୍ତ ପ୍ରାଣୀଙ୍କ ମଙ୍ଗଳ ବିଧାନ ପାଇଁ ପ୍ରାର୍ଥନା କରିଛନ୍ତି। ସମାନ ବିଧିରେ ଦେବୀ ପାଟଣେଶ୍ବରୀଙ୍କ ମନ୍ଦିରରେ ମଧ୍ୟ ନୂଆ ଲାଗିଛି।
