ଶାରଦୀୟ ଦୁର୍ଗାପୂଜା : ଆରମ୍ଭ ହୋଇଛି ନବରାତ୍ରୀ ପୂଜା

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ଅବସରରେ ଆଜିଠୁ ଆରମ୍ଭ ହୋଇଛି ନବରାତ୍ରୀ ପୂଜା। ନବ ଦିନାତ୍ମକ ପୂଜାରେ ପ୍ରଥମ ଦିନରେ ଶ୍ରଦ୍ଧାଳୁଙ୍କୁ ଶୈଳପୁତ୍ରୀ ରୂପରେ ଦର୍ଶନ ଦେବେ ମା । ଏହି ଅବସରରେ ରାଜ୍ୟର ବିଭିନ୍ନ ଶକ୍ତିପୀଠମାନଙ୍କରେ ସକାଳୁ ସକାଳୁ ଭକ୍ତ ସମାଗମ ଦେଖିବାକୁ ମିଳିଛି । ବଲାଙ୍ଗିର ସମଲେଶ୍ୱରୀ ମନ୍ଦିରରେ ଆରମ୍ଭ ହୋଇଛି ମାଆଙ୍କ ଆରଧାନା। ରୀତିନୀତି ପରମ୍ପରା ଅନୁସାରେ ଚାଲିଛି ମଆଙ୍କ ପୂଜାର୍ଚ୍ଚନା। ଆଜି ମାଆ ସମଲେଶ୍ୱରୀ ଶୈଳପୁତ୍ରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ମାଆଙ୍କୁ ଏହି ବେଶରେ ଦର୍ଶନ କରିବାକୁ ଭକ୍ତଙ୍କ ଭିଡ଼ ଜମିଛି। ବଲାଙ୍ଗିର ମନ୍ତ୍ର ଯନ୍ତ୍ର ଓ ତନ୍ତ୍ରର ମାଟି ହୋଇଥିବାରୁ ଏଠି ଶକ୍ତି ଉପାସନା ସ୍ୱତନ୍ତ୍ରତା ରହିଛି।ସେହିପରି ଜଗତସିଂହପୁର ଜିଲ୍ଲା ଝଙ୍କଡ଼ବାସିନୀ ମାଆ ଶାରଳାଙ୍କ ପୀଠରେ ଚାଲିଛି ସ୍ବତନ୍ତ୍ର ନୀତିକାନ୍ତି। ଅନ୍ୟପଟେ କଟକ ଚଣ୍ଡି ମାଆ ହରଚଣ୍ଡି ବେଶରେ ଦର୍ଶନ ଦେବେ। ରାଜରାଜେଶ୍ୱରୀ ବେଶରେ ଦର୍ଶନ ଦେଇଛନ୍ତି ଗଡ଼ଚଣ୍ଡି। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆଜିଠାରୁ ନବ ଦିନାତ୍ମକ ଯାତ୍ରା ଆରମ୍ଭ ହେବାର ପରମ୍ପରା ରହିଛି । ଅପରାହ୍ନରେ ରଥ ପ୍ରତିଷ୍ଠା ହେବା ପରେ ମା’ଙ୍କ ଚଳନ୍ତି ପ୍ରତିମା ରଥ ଉପରକୁ ବିଜେ କରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମାଙ୍କ’ ଷୋଡଶ ଉପଚାର ପୂଜା ଜାରି ରହିଥିବା ବେଳେ ନବରାତ୍ରି ଅବସରରେ ମାଙ୍କ ଗର୍ଭ ଗୃହକୁ ଯାଇ ଶ୍ରଦ୍ଧାଳୁ ପାଦ ଏବଂ ମୁଖ ଦର୍ଶନ କରିବାର ସୁଯୋଗ ପାଇବେ। କେବଳ ମା’ ବିରଜା ନୁହେଁ ରାଜ୍ୟର ଅନ୍ୟ ଶକ୍ତିପୀଠ ଗୁଡ଼ିକରେ ମଧ୍ୟ ମା’ଙ୍କୁ ଭିନ୍ନ ଭିନ୍ନ ରୂପରେ ପୂଜାର୍ଚ୍ଚନା କରାଯାଉଛି । ମା’ଙ୍କ ଆଗମନକୁ ନେଇ ଧରାଧାମରେ ଆଧ୍ୟାତ୍ମିକତାର ମାହୋଲ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *