ନୂଆଦିଲ୍ଲୀ: ଆଜିଠୁ ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି। ଦେଶ ହିତରେ ସଂଶୋଧିତ ନୂଆ ସାମଗ୍ରୀ ଓ ସେବା ଶୁଳ୍କ(ଜିଏସ୍ଟି)ରେ ଏଭଳି ଆର୍ଥିକ ସଂସ୍କାର କରାଯାଇଛି। ଜିଏସଟିରେ ଅନେକ ସାମଗ୍ରୀ ଓ ସେବା ସରଳ ଓ ଶସ୍ତା ହୋଇଛି।
ଆଜିଠୁ କେବଳ ତିନିଟି ସ୍ଲାବରେ ଜିଏସଟି। ଆଉ ନାହିଁ ୧୨ ପ୍ରତିଶତ ଓ ୧୮ ପ୍ରତିଶତ ଜିଏସଟି ସ୍ଲାବ। ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ। ଏହି ଜି ଏସ୍ ଟି ଲାଗୁ କରାଯିବାକୁ ଅଧିକାଂଶ ସାମଗ୍ରୀ ଶସ୍ତା ହେବ। ୩୩ ଜୀବନ ରକ୍ଷାକାରୀ ଔଷଧରେ ଶୂନ୍ଯ ଟିକସ ରହିବ।
ସେହିପରି ଆୟକର ସ୍ଲାବରେ ୧୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବାର୍ଷିକ ଆୟ କରୁଥିବା କରଦାତାଙ୍କୁ ଆୟକର ମୁକ୍ତ କରାଯାଇଛି । ଉଭୟ ଆର୍ଥିକ ଲାଭକୁ ଯୋଡିଲେ ଏହା ଦ୍ୱାରା ଦେଶବାସୀ ବାର୍ଷିକ ୨.୫ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିବେ ।
ତମାଖୁ ଓ ବିଳାସପୂର୍ଣ୍ଣ ସାମଗ୍ରୀ ଉପରେ ୪୦ ପ୍ରତିଶତ ଟିକସ ଲାଗୁ ହୋଇଛି। ଜୀବନ ବୀମା ଓ ସ୍ବାସ୍ଥ୍ୟବୀମାରୁ ଛାଡ଼ ହୋଇଛି ଜିଏସଟି। ଗତ ତିନି ତାରିଖରେ ଜିଏସଟି ପରିଷଦରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତି ଆଜିଠୁ ଲାଗୁ ହୋଇଛି । ନୂଆ ଜିଏସଟି ହାର ସାଧାରଣ ଗ୍ରାହକଙ୍କୁ ଅଧିକ ଲାଭ ଦେବ। ସାମ୍ପୁ, ଟୁଥବ୍ରସ୍, ଟୁଥପେଷ୍ଟ, ସାଇକେଲ, ରୋଷେଇ ସାମଗ୍ରୀ, ନମକିନ, ଚକୋଲେଟ୍, କଫି, ନୁଡଲ୍ସ, ଘିଅ, ଲହୁଣି, ଥର୍ମୋମିଟର, ମେଡିକାଲରେ ବ୍ୟବହୃତ ଅକ୍ସିଜେନ୍, ଜୀବନ ରକ୍ଷାକାରୀ ଔଷଧ ଓ ବିଭିନ୍ନ କୃଷି ଯନ୍ତ୍ରପାତି ବି ଶସ୍ତା ହୋଇଛି। ଏସବୁ ଆଜିଠୁ ୫ ପ୍ରତିଶତ ଜିଏସଟି ସ୍ଲାବରେ ସାମିଲ ହୋଇଛି। ସେହିଭଳି ଜୀବନ ବୀମା, ସ୍ବାସ୍ଥ୍ୟବୀମା, ଛେନା, ପନୀର, ରୁଟି, ପିଜା ବ୍ରେଡ, ପାଉଡର କ୍ଷୀର, ପରଟା, ମ୍ୟାପ୍, ଚାର୍ଟ, ଗ୍ଲୋବ, ପେନସିଲ୍, ଖାତା ବହି, ରବର ଆଜିଠୁ ଜିରୋ ଜିଏସଟି। ଅର୍ଥାତ ଏସବୁ ସାମଗ୍ରୀ ଉପରେ ଆଉ ଜିଏସଟି ଦେବାକୁ ପଡ଼ିବ ନାହିଁ। ନୂଆ ୪୦ ପ୍ରତିଶତ ଜିଏସଟି ସ୍ଲାବକୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍ , ଗୁଟଖା, ତମାଖୁ ଦ୍ରବ୍ୟ, ଜର୍ଦା, କୋଲଡ୍ରିଙ୍କସ୍ ଇତ୍ୟାଦି। ନୂଆ ଜିଏସଟି ହାର ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ସେକ୍ଟରକୁ ଦେଇଛି ବଡ଼ ଉତ୍ସାହ। ଆଜିଠୁ ଶସ୍ତା ହେଲା ଟିଭି, ଏୟାର କଣ୍ଡିସନର, ବାଇକ୍, ପେଟ୍ରୋଲ-ଏଲପିଜି ଓ ସିଏନଜି କାର, ଅଟୋ ପାର୍ଟ୍ସ, ମନିଟର ଓ ପ୍ରୋଜେକ୍ଟର ଏବଂ ସିମେଣ୍ଟ । ଏହି ସାମଗ୍ରୀ ଉପରେ ଜି ଏସ୍ ଟି ୨୮%ରୁ ୧୮କୁ ହ୍ରାସ କରାଯାଇଛି। ଜିଏସଟି ୨.୦ କାର୍ଯ୍ୟକାରୀ ହେବାର କିଛି ଘଣ୍ଟା ପୂର୍ବରୁ ଅର୍ଥାତ୍ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ ।
ଦେଶରେ ଜିଏସଟି ୨.୦ ହୋଇଛି କାର୍ଯ୍ୟକରୀ
