ନୁଆପଡ଼ା ଉପନିର୍ବାଚନ: ବିଜେଡିକୁ ସମର୍ଥନ ଜଣାଇଲେ ଭୁଞ୍ଜିଆ ସମ୍ପ୍ରଦାୟ

ନୂଆପଡା: ବିଜେଡ଼ି ଶାସନରେ ଆଦିବାସୀମାନଙ୍କ ଉନ୍ନତି ବାସ୍ତବ ରୂପ ନେଇଥିଲା । ଯୁଗ ଯୁଗ ଧରି ଉପେକ୍ଷିତ ଥିବା ଜନଜାତିମାନଙ୍କୁ ସେମାନଙ୍କ ଅଧିକାର ମିଳିଥିଲା । ଏହାକୁ ଚୁକ୍ତି ଭୁଞ୍ଜିଆ ଓ ଭୁଞ୍ଜିଆ ଜାତିର ଲୋକେ କେବେ ଭୁଲିବେ ନାହିଁ । ଶନିବାର ନୂଆପଡା ବ୍ଲକ୍ ର ସେଠଜମ୍ପାନି ଗ୍ରାମପଞ୍ଚାୟତରେ ଆୟୋଜିତ ଜନସଭାରେ ବିଜେଡ଼ି ପ୍ରାର୍ଥିନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଏହି ଆଶ୍ୱାସନାର ସହ ସ୍ୱାଗତ ଜଣାଇଥିଲେ ଚୁକ୍ତିଆ ଭୁଞ୍ଜିଆ ଓ ଭୁଞ୍ଜିଆ ସମ୍ପ୍ରଦାୟ ।ଏହି ସଭାରେ ବିଜୁ ଜନତା ଦଳର ବରିଷ୍ଠ ନେତୃବୃନ୍ଦ ଯୋଗଦେଇ କହିଥିଲେ ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ୨୪ ବର୍ଷରେ ଆଦିବାସୀମାନଙ୍କ ଐତିହାସିକ ପ୍ରଗତି ହୋଇଛି । ଶିକ୍ଷା, ଜୀବିକା, ସଂସ୍କୃତି ଓ ଶାସନ ବ୍ୟବସ୍ଥା ପାଇଁ ଓଡିଶା ଦେଶର ଏକ ମଡେଲ ରାଜ୍ୟ ହୋଇପାରିଛି । ୫-ଟି ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ ଅଧୀନରେ ୨,୫୦୦ରୁ ଅଧିକ ଆଦିବାସୀ ବିଦ୍ୟାଳୟରେ ପିଲାମାନଙ୍କୁ ଆଧୁନିକ ଶିକ୍ଷା ମିଳୁଛି । ସେହିପରି ଲାଭ ଯୋଜନା ଅଧୀନରେ ପ୍ରାୟ ଏକ କୋଟି ଆଦିବାସୀ ମହିଳା ସଂଗ୍ରାହକ ଲାଭାନ୍ୱିତ ହେଉଛନ୍ତି । ଜନଜାତି ଭାଷା ଆୟୋଗଙ୍କ ଦ୍ୱାରା ୨୧ ଆଦିବାସୀ ଭାଷାର ସୁରକ୍ଷା ଓ ପ୍ରଚାର ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦକୁ ୨୩ ଜିଲ୍ଲା ଯାଏଁ ସମ୍ପ୍ରସାରିତ କରିବା ପାଇଁ ନବୀନ ବାବୁଙ୍କ ଉଦ୍ୟମ ବିଜେଡିର ଆଦିବାସୀଙ୍କ ପ୍ରତି ଉତ୍ସର୍ଗୀକୃତ ଭାବନାର ଉଦାହରଣ ।ବକ୍ତାମାନେ କହିଥିଲେ ଯେ ମିଶନ୍ ସୁବିଧା, ମିଶନ ଜୀବୀକା ଏବଂ ଓପିଇଏଲଆଇପି ପରି ଯୋଜନା ଦ୍ୱାରା ଆଦିବାସୀ ଯୁବ, ଛାତ୍ର ଓ କୃଷକମାନଙ୍କୁ ସଶକ୍ତ କରାଯାଇଛି । ଓଡିଶାର ଆଦିବାସୀ ଉନ୍ନତି ଯାତ୍ରା, ସଂସ୍କୃତିକ ଗୌରବ, ଆର୍ଥିକ ସଶକ୍ତିକରଣ ଓ ସାମାଜିକ ନ୍ୟାୟ୍ ଆଧାରିତ ଶାସନ ବ୍ୟବସ୍ଥା ନବୀନ ବାବୁଙ୍କର ସବୁଠାରୁ ବଡ଼ ଅବଦାନ ବୋଲି ନେତାମାନେ ଉଲ୍ଲେଖ କରିଥିଲେ । ଏହି ସଭାରେ ବିଜେଡିର ବରିଷ୍ଠ ନେତା ସୁଦାମ ମାର୍ଣ୍ଡି, ନିରଞ୍ଜନ ବିଶି, ରମେଶ ମାଝୀ, ଭାନୁ ପ୍ରତାପ ସିଂହ ମାଝୀ, ଡ. ଲେଖାଶ୍ରୀ ସମନ୍ତସିଂହର, ତେଜରାଜ ସବର ଓ ରୂପ ସିଂହ ଭୁଞ୍ଜିଆ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *