ଏଣିକି ସ୍କୁଲ ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ହଷ୍ଟେଲରେ ରହୁଥିବା ସ୍କୁଲ ପିଲାଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ରାଜ୍ୟ ସରକାରଙ୍କ ତରଫରୁ ନିଆଯାଇଛି ନୂଆ ପଦକ୍ଷେପ। ଏଣିକି ହଷ୍ଟେଲରେ ନିଯୁକ୍ତ ହେବେ ସ୍ୱାସ୍ଥ୍ୟକର୍ମୀ ବା ନର୍ସ। ରାଜ୍ୟର ସମସ୍ତ ସରକାରୀ ହଷ୍ଟେଲରେ ଅକ୍ସିଲିଆରି ନର୍ସ ଆଣ୍ଡ୍‌ ମିଡ୍‌ୱାଇଫ୍‌ (ଏଏନ୍‌ଏମ୍‌) କିମ୍ବା ମହିଳା ବହୁମୁଖୀ ହେଲ୍‌ଥ ୱାର୍କର ନିୟୋଜିତ ହେବେ। ହଷ୍ଟେଲ ପିଲାଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରିବେ। ପ୍ରତି ୩୦୦ ପିଲାଙ୍କ ପାଇଁ ଜଣେ ଲେଖାଏଁ ଏଏନ୍‌ଏମ୍‌ ନିଯୁକ୍ତି କରାଯିବ । ଗତ ଅଗଷ୍ଟ ୨୧ ତାରିଖରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉଚ୍ଚସ୍ତରୀୟ ବୈଠକରେ ସୁପାରିସ ହୋଇଥିବା ନିଷ୍ପତ୍ତିକୁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ଏନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଚିଠି ଲେଖାଯାଇଛି। ହଷ୍ଟେଲରେ ନିଯୁକ୍ତ ହେବାକୁ ଥିବା ନର୍ସମାନେ ପିଲାଙ୍କର ନିୟମିତ ଭାବେ ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ। ହଷ୍ଟେଲ ଅନ୍ତେବାସୀଙ୍କର କାଉନ୍‌ସେଲିଂ କରିବେ ।ନିୟମିତ ବ୍ୟବଧ୍ୟାନରେ ସ୍ୱାସ୍ଥ୍ୟଗତ ପରୀକ୍ଷା ମଧ୍ୟ କରିବେ । ସ୍ୱାସ୍ଥ୍ୟ ବିଭାଗ ଗଣଶିକ୍ଷା ବିଭାଗ ସହ ଆଲୋଚନା କରି ନିଯୁକ୍ତି ଦେବ । ଏପରିକି ଆବଶ୍ୟକ ସ୍ଥଳେ ଏଥିରେ ବିଳମ୍ବ ହେଲେ ବିଭାଗ ପକ୍ଷରୁ ଅବସରପ୍ରାପ୍ତ ଏଏନ୍‌ଏମ୍‌ଙ୍କୁ ଅର୍ଥ ବିଭାଗର ନିୟମ ଅନୁଯାୟୀ ନିଯୁକ୍ତି ଦେବେ । ସେହିପରି ବହୁଭାଷୀ ଶିକ୍ଷା ଶିକ୍ଷକ ନିଯୁକ୍ତି ପାଇଁ ଏସ୍‌ଟି, ଏସ୍‌ସି ବିଭାଗ ସହଯୋଗ କରିବ । ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ସମସ୍ତ ଜିଲ୍ଲାର ସ୍କୁଲ ଚିହ୍ନଟ କରାଯିବ । ସେଠାରେ କେତେ ପରିମାଣରେ ଶିକ୍ଷକ ପଦବି ଆବଶ୍ୟକ ସେହି ଅନୁସାରେ ନିଯୁକ୍ତି ଦିଆଯିବ ।

Leave a Reply

Your email address will not be published. Required fields are marked *