ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ରେ ନୂଆପଡ଼ା ଉପ-ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆ ପୁଲିସ୍ ମୁଖ୍ୟାଳୟ ଠାରେ ସୁରକ୍ଷା ବ୍ୟବସ୍ଥାର ପ୍ରସ୍ତୁତିକୁ ସମୀକ୍ଷା କରିଛନ୍ତି। ଡିଜିପି ଏକ ଅବାଧ, ସ୍ୱଚ୍ଛ, ମୁକ୍ତ ଓ ନିରପେକ୍ଷ ଉପ-ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ନିର୍ବାଚନ ଆଚରଣ ବିଧିର କଡାକଡି ଅନୁପାଳନ ଏବଂ ଭିଆଇପି ଓ ଭିଭିଆଇପିଙ୍କ ଗସ୍ତ ସମ୍ପର୍କିତ ସୁରକ୍ଷା ବ୍ୟବସ୍ଥା ପାଇଁ ଭାରତର ନିର୍ବାଚନ ଆୟୋଗର ନିର୍ଦ୍ଦେଶାବଳୀକୁ ଅନୁସରଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଆହୁରି ମଧ୍ୟ ଦଫା ୧୧୦/୧୦୭ ସିଆର. ପି .ସି. ଅନୁଯାୟୀ ସନ୍ଦିଗ୍ଧ ବ୍ୟକ୍ତିବିଶେଷଙ୍କୁ ଗିରଫ କରିବା, ବେଆଇନ ଟଙ୍କା କାରବାରକୁ ରୋକିବା, ବେଆଇନ ଅସ୍ତ୍ରଶସ୍ତ୍ର ଓ ବେଆଇନ ମଦ ଜବତ କରିବା ଏବଂ ପଡ଼ି ରହିଥିବା ୱାରେଣ୍ଟକୁ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କ ଉପରେ ତାମିଲ କରିବା ସମେତ ସମସ୍ତ ପ୍ରକାର ସତର୍କତା ମୂଳକ ପଦକ୍ଷେପ ଗୁଡ଼ିକୁ ତୀବ୍ର କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।ଅତିରିକ୍ତ ଡିଜିପି (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର ମୋବାଇଲ୍ ପେଟ୍ରୋଲିଙ୍ଗ ଏବଂ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ର କାର୍ଯ୍ୟକୁ ବଢ଼ାଇବା ଏବଂ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରବେଶ ପଥରେ ନାକା ପୋଷ୍ଟ ସ୍ଥାପନ କରି ସନ୍ଦିଗ୍ଧ ବ୍ୟକ୍ତି ବିଶେଷ ଓ ଗଦି ମାନଙ୍କର ପୁଙ୍ଖାନୁପୁଙ୍ଖ ଯାଞ୍ଚ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ କୋଚେ ଉପ-ନିର୍ବାଚନ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୁଇନ୍ଦା ତଥ୍ୟ ଉପରେ ଆଲୋକପାତ କରିଥିଲେ ଏବଂ ଡିଆଇଜିପି ଓ ଏସପିଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖିବାକୁ ପରାମର୍ଶ ଦେଇଥିଲେ।
ନୂଆପଡ଼ା ଉପ ନିର୍ବାଚନ ସୁରକ୍ଷା ପାଇଁ ଡିଜିପିଙ୍କ ସମୀକ୍ଷା
