ଆରମ୍ଭ ହୋଇଛି ଓଟିଇଟି ଫର୍ମ ପୂରଣ୨୫ ଯାଏଁ ଚାଲିବ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ଟିଚର ଏଲିଜିବିଲିଟି ଟେଷ୍ଟ (ଓଟିଇଟି) ପରୀକ୍ଷା ପାଇଁ ବୁଧବାର ଠାରୁ ଫର୍ମ ପୂରଣ ଆରମ୍ଭ ହେଇଛି। ଏହା ନଭେମ୍ବର ୨୫ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଚାଲିବ। ଏଥିସହ ଦେୟ ଦାଖଲ ପାଇଁ ନଭେମ୍ବର ୨୬ ତାରିଖ ରାତ୍ର ୧୧.୪୫ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ ହୋଇଛି। ବୋର୍ଡ ୱେବସାଇଟ୍ ରେ ସମସ୍ତ ବିବରଣୀ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ ଯେ ଆଗାମୀ ଡିସେମ୍ବର ୧୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ୨ଟି ପର୍ଯ୍ୟାୟରେ ପରୀକ୍ଷା ହେବ। ସକାଳ ୯ଟାରୁ ୧୧.୩୦ ଯାଏ ପେପର-୧ ପରୀକ୍ଷା ଓ ଅପରାହ୍ଣ ୨ଟାରୁ ୪.୩୦ ପର୍ଯ୍ୟନ୍ତ ପେପର-୨ ପରୀକ୍ଷା ହେବ। ଫର୍ମପୂରଣ ଅବଧି ଆଉ ବର୍ଦ୍ଧିତ କରାଯିବ ନାହିଁ। ସେହିପରି ଆଡ୍‌ମିଟ୍ କାର୍ଡ ଡିସେମ୍ବର ୧୦ ତାରିଖରୁ ଅନ୍‌ଲାଇନ୍‌ରେ ଉପଲବ୍ଧ ହେବ। କୌଣସି ପରୀକ୍ଷାର୍ଥୀଙ୍କ ତଥ୍ୟ ମିଥ୍ୟା ବା ଭୁଲ ଜଣାପଡ଼ିଲେ ତାଙ୍କ ଆବେଦନ ଅଗ୍ରାହ୍ୟ କରାଯିବ। ଏଥିସହ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପରୀକ୍ଷାର୍ଥୀଙ୍କ ଦ୍ୱାରା ଅନ୍‌ଲାଇନ ଜରିଆରେ ପ୍ରଦାନ କରାଯାଇଥିବା ବ୍ୟକ୍ତିଗତ ତଥ୍ୟ, ଠିକଣା, ଜାତି ଓ ପରୀକ୍ଷା ବିଷୟ ପରବର୍ତ୍ତୀ ସମୟରେ ବଦଳା ଯାଇପାରିବ ନାହିଁ। ତେଣୁ ପରୀକ୍ଷାର୍ଥୀମାନେ ଫର୍ମ ପୂରଣ ସମୟରେ ଏସବୁ ପ୍ରତି ସଜାଗ ରହିବାକୁ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *