ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥର ମିଳିତ ଜାତିସଂଘ ସାଧାରଣ ପରିଷଦ (ୟୁଏନଜିଏ)ର ୮୦ ତମ ଅଧିବେଶନର ଉଚ୍ଚସ୍ତରୀୟ ସାଧାରଣ ବିତର୍କରେ ଯୋଗଦେବେ ନାହିଁ। ଶୁକ୍ରବାର ପ୍ରକାଶିତ ସଂଶୋଧିତ ଅସ୍ଥାୟୀ ତାଲିକା ଅନୁଯାୟୀ, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର ଭାରତ ପକ୍ଷରୁ ସେପ୍ଟେମ୍ବର ୨୭ ତାରିଖରେ ବିଶ୍ୱ ନେତାମାନଙ୍କୁ ସମ୍ବୋଧିତ କରିବେ। ପୂର୍ବ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ସେପ୍ଟେମ୍ବର ୨୬ ତାରିଖରେ ଭାଷଣ ଦେବେ, ମାତ୍ର ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରାଯାଇଛି। ଏହି ବୈଠକକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସମ୍ବୋଧିତ କରିବେ। ବର୍ତ୍ତମାନ ଆମେରିକାର ଶୁଳ୍କ ଚାପ ଯୋଗୁଁ ଭାରତ ସହିତ ଆମେରିକାର ତିକ୍ତତା ରହିଛି। ଏଭଳି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦି, ଟ୍ରମ୍ପଙ୍କୁ ଭେଟିବାକୁ ଚାହୁଁନାହାଁନ୍ତି। ଏବେ ମୋଦୀଙ୍କ ପରିବର୍ତ୍ତେ ୟୁଏନଜିଏରେ ଜୟଶଙ୍କର ପ୍ରତିନିଧିତ୍ଵ କରିବେ।
ଚଳିତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ପରେ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି। ଯେଉଁଥିରେ ରୁଷରୁ ତେଲ କିଣିବା ଉପରେ ୨୫ ପ୍ରତିଶତ ଶୁଳ୍କ ମଧ୍ୟ ଅନ୍ତର୍ଭୁକ୍ତ। ଏଭଳି ସମୟରେ ଭାରତ ଏବଂ ଆମେରିକା ସମ୍ପର୍କ ଖରାପ ସ୍ଥିତିରେ ଅଛି। ସେପ୍ଟେମ୍ବର ୨୬ ରେ ଇସ୍ରାଏଲ, ଚୀନ୍, ପାକିସ୍ତାନ ଏବଂ ବାଂଲାଦେଶର ଶୀର୍ଷ ନେତାମାନେ ସାଧାରଣ ବିତର୍କରେ ଭାଷଣ ଦେବେ। ଚଳିତ ବର୍ଷର ଅଧିବେଶନ ବିଶେଷ, କାରଣ ଏହା ଜାତିସଂଘର ୮୦ ବର୍ଷ ପାଳନ କରୁଛି। ‘ଏକତ୍ର ଉତ୍ତମ: ଶାନ୍ତି, ବିକାଶ ଏବଂ ମାନବାଧିକାର ପାଇଁ ୮୦ ବର୍ଷ ଏବଂ ଅଧିକ’ ଶୀର୍ଷକ ବିଷୟବସ୍ତୁ ଅଧିବେଶନରେ ରହିଛି।
ଏଥର ୟୁଏନଜିଏରେ ଯୋଗ ଦେବେନି ପ୍ରଧାନମନ୍ତ୍ରୀ
