ଭୁବନେଶ୍ୱର: ପ୍ରତିବର୍ଷ ରାଜ୍ୟରେ ସଡ଼କ ଦୁର୍ଘଟଣାରେ ବହୁ ଲୋକ ମୃତ ବରଣ କରୁଛନ୍ତି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା ଜାରି ରଖିଛନ୍ତି । ବ୍ୟାପକ ଜନ ସଚେତନତା ମାଧ୍ୟମରେ ଏହି ସଂଖ୍ୟା ହ୍ରାସ କରିହେବ I ଏଥିପାଇଁ ନଭେମ୍ବର ୧୬ ରୁ ୩୦ ଯାଏଁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏଥିନେଇ ସାରା ରାଜ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ମାନ କରାଯିବ । ଏହି ସମୟରେ ଚାରିଟି ‘ଇ’ ଯଥା- ଏନଫୋର୍ସମେଣ୍ଟ, ଇଂଜିନିୟରିଂ, ଏଜୁକେସନ ଓ ଏମର୍ଜେନ୍ସି କେୟାରକୁ ପ୍ରାଧାନ୍ୟ ଦିଆଯିବ ବୋଲି ଇସ୍ପାତ ଓ ଖଣି ଏବଂ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା ସୂଚନା ଦେଇଛନ୍ତି I
ସଡ଼କ ଦୁର୍ଘଟଣା ଜନିତ ଶୂନ ମୃତାହତ ପାଳନ ସମୟରେ ସଡ଼କ ନିୟମ ଉଲ୍ଲଙ୍ଘକାରୀଙ୍କ ବିରୋଧରେ ଶୂନ ସହନଶୀଳତା ନୀତି ଅବଲମ୍ୱନ କରାଯିବ । ସାରା ରାଜ୍ୟରେ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯିବ । ଏଥିପାଇଁ ସମସ୍ତ ଜିଲ୍ଲା ପ୍ରଶାସନକୁ ବିଭାଗ ପକ୍ଷରୁ ଏକ ମାର୍ଗଦର୍ଶିକା ପ୍ରଦାନ କରାଯାଇଛି । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଅନ୍ୟ ବିଭାଗ ସହ ମିଳିତ ଭାବରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଦ୍ୱାରା ଏନଫୋର୍ସମେଣ୍ଟ କାର୍ଯ୍ୟକ୍ରମ ବ୍ୟାପକ କରାଯିବ । ବିଶେଷକରି ଜନଗହଳି ସ୍ଥାନ, ଟ୍ରାଫିକ ପଏଣ୍ଟ, ଶିକ୍ଷାନୁଷ୍ଠାନ, ବଡ ବଡ଼ ମଲ୍ ଓ ବଜାର ଆଦି ସ୍ଥାନରେ ଟିମ୍ ମୁତୟନ ରହିବେ । ସଡ଼କରେ ବେପରୁଆ ଗାଡ଼ି ଚାଳନା କରି ନିଜ ସହ ଅନ୍ୟ ମାନଙ୍କ ପାଇଁ ବିପଦ ସୃଷ୍ଟି କରୁଥିବା ଓ ନିୟମ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ମୋଟର ଯାନ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପୂର୍ବ ବର୍ଷମାନଙ୍କରେ ଶୂନ ମୃତାହତ ସପ୍ତାହ ପାଳନ କରାଯାଇଛି । ସେ ସମୟରେ ରାଜ୍ୟରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲା । ଏହାକୁ ଦୃଷ୍ଟିରେ ରଖି ବିଭାଗ ଚଳିତ ଥର ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଶୂନ ମୃତାହତ ପକ୍ଷ ପାଳନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଯାହାର ଲକ୍ଷ୍ୟ ହେଉଛି, ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁ ସଂଖ୍ୟା ହ୍ରାସ କରିବା ।ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ “ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ” ବା “କମ୍ ହୋମ୍ ସେଫ୍”କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଉଛି । ପ୍ରତିଟି ଜୀବନ ମୂଲ୍ୟବାନ । ଗୋଟିଏ ବି ମୃତ୍ୟୁ, ବହୁତ ଅଧିକ । ତେଣୁ ପ୍ରତିଟି ଜୀବନ ରକ୍ଷା ପାଇଁ ସଡ଼କ ସୁରକ୍ଷାକୁ ଏକ ସାମୂହିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ଜେନା ରାଜ୍ୟର ସମସ୍ତ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି
ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେବ ସଡ଼କ ସୁରକ୍ଷା ପକ୍ଷ
