ବାଲିଚନ୍ଦ୍ରପୁର : ମା’ ରମାଦେବୀ ହେଉଛନ୍ତି ମହିଳା ସଶକ୍ତିକରଣର ଆଲୋକବର୍ତ୍ତିକା। ଯେତେବେଳେ ଓଡ଼ିଶାର ନାରୀଟିଏ ପଦାକୁ ଗୋଡ କାଢିବାରେ ପରିବାର ଓ ସମାଜର କଠୋର ପ୍ରତିବନ୍ଧକ ରହିଥିଲା। ସେହି ସମୟରେ ମା’ ରମାଦେବୀ ଭାରତବର୍ଷର ସ୍ବାଧୀନତା ଆନ୍ଦୋଳନ ପାଇଁ ଗାନ୍ଧୀଜୀଙ୍କ ନେତୃତ୍ବରେ ଜାତୀୟ ସ୍ରୋତରେ ସାମିଲ ହୋଇଥିଲେ। ଭାରତବର୍ଷରେ ନାରୀ ପ୍ରଗତି କ୍ଷେତ୍ରରେ ସେ ଚିରକାଳ ପ୍ରେରଣା ହୋଇରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି।ମା’ ରମାଦେବୀଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ପରେ ରାଜ୍ୟବ୍ୟାପୀ ତିନିଦିନିଆ ରାଜ୍ୟସ୍ତରୀୟ ଉଦଯାପନୀ ଉତ୍ସବର ଶୁଭାରମ୍ଭ ସୋମବାର ହୋଇଛି। ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ ସଂଗ୍ରାମୀ ଗ୍ରାମ ବାଲିପଡିଆସ୍ଥିତ ଠକ୍କର ବାପା ଆଶ୍ରମରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ଓ ବିଶିଷ୍ଟ ଗାନ୍ଧୀବାଦୀ, ଶିକ୍ଷାବିତ୍, ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ ଏବଂ ଯୁବକମାନେ ସମ୍ମିଳିତ ହୋଇ ତିନିଦିନିଆ ଉତ୍ସବର ଶୁଭାରମ୍ଭ କରିଛନ୍ତି।ଆଶ୍ରମ ପରିସରରେ ଥିବା ଜାତିର ପିତା ମହାତ୍ମାଗାନ୍ଧୀ ଏବଂ ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତି ସହିତ ବଡଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀ ଓ ଅନ୍ୟ ସ୍ବାଧୀନତା ସଂଗ୍ରାମୀଙ୍କ ସ୍ମୃତି ଫଳକରେ ପୁଷ୍ପମାଲ୍ୟ ଅର୍ପଣ ସହ ରାମଧୂନ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଠକ୍କରବାପା ଆଶ୍ରମର ପରିଚାଳକ ବିଜୟ କୁମାର ତ୍ରିପାଠୀ ସଭାପତିତ୍ବ କରିଥିଲେ। ବିଶିଷ୍ଟ ଗାନ୍ଧୀବାଦୀ ତଥା ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବଶକ୍ତି ମା’ ରମାଦେବୀଙ୍କ ତ୍ୟାଗପୂତ ଜୀବନରୁ ପ୍ରେରଣା ପାଇବା ଦରକାର ବୋଲି ମତ ବ୍ୟକ୍ତ କରିଥିଲେ। ଦେଶ ଓ ସମାଜ ଲାଗି କିଭଳି ଭାବରେ ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ସ୍ବାଧୀନତା ସଂଗ୍ରାମୀ ସେମାନଙ୍କ ଯୁବକ ସମୟରେ ହିଁ ଦେଶ ପାଇଁ କଷ୍ଟକର ପଥକୁ ଆପଣାଇ ନେଇଥିଲେ ଓ ଏକ ସଂକଳ୍ପ ସାଧନା ଭିତରେ ସାରା ଜୀବନ ଅତିବାହିତ କରିଥିଲେ ତାହା ଆଜିର ପିଢି ଅନୁଶୀଳନ କରିବା ଆବଶ୍ୟକ। ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ ମନୋରଞ୍ଜନ ମହାନ୍ତି ସ୍ବାଧୀନତା ସଂଗ୍ରାମ ସହିତ ସର୍ବୋଦୟରେ ମା’ ରମାଦେବୀଙ୍କ ଅତୁଳନୀୟ ଅବଦାନ ଉପରେ ଅବତାରଣା କରିଥିଲେ। ମୁଖ୍ୟବକ୍ତା ଭାବେ ଯୋଗଦେଇ କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଟ୍ରଷ୍ଟି ତଥା ବିଶିଷ୍ଟ ଗାନ୍ଧୀବାଦୀ ଡାକ୍ତର ବିଶ୍ବଜିତ୍ ବିଗତ ବର୍ଷେ ଧରି ଓଡ଼ିଶାର ବିଭିନ୍ନ ସ୍ଥାନରେ ମା’ ରମାଦେବୀଙ୍କର ୧୨୫ତମ ଜୟନ୍ତୀ ଅବସରରେ ଆୟୋଜିତ କରଯାଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା ଦୁଇଦିନ ଧରି ଭୁବନେଶ୍ବର ଏବଂ କଟକ ସତ୍ୟଭାମାପୁରରେ ହେବାକୁ ଯାଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ। ସଭାରେ ଯୋଗଦେଇ ବରିଷ୍ଠ ସାମ୍ବାଦିକ ମହେଶ୍ବର ବଳ, ଶିକ୍ଷାବିତ୍ ଉମାକାନ୍ତ ବଳ, ନଟବର ସାମଲ, ଆଇନଜୀବୀ ଦେବରାଜ ବେହେରା, ଚଣ୍ଡିଖୋଲ ବାର ଆସୋସିଏସନ ସମ୍ପାଦକ ଆଇନଜୀବୀ ପ୍ରକାଶ ଦାଶ, ସମାଜସେବୀ ଦିଲୀପ ସାମଲ, ଦିଲୀପ କୁମାର ରାଉତ, ସ୍ବାଧୀନତା ସଂଗ୍ରାମୀ ଦାୟାଦ କୈଳାସ ମହାନ୍ତି, ଶରତ ଚନ୍ଦ୍ର ପ୍ରଧାନ, ଫନୀନ୍ଦ୍ର ନାଥ ପଣ୍ଡା, ସରସ୍ବତୀ ଭୂୟାଁ, ଜୀବନ ମହାପାତ୍ର ପ୍ରମୁଖ ଉଦବୋଧନ ଦେଇଥିବା ବେଳେ ଗଣମାଧ୍ୟମର ବ୍ୟକ୍ତିତ୍ବ, ସଂଗ୍ରାମୀଙ୍କ ଦାୟାଦ ଏବଂ ସଂଗ୍ରାମୀଙ୍କ ସ୍ମୃତିରେ ରକ୍ତଦାନ ଆୟୋଜନ କରିଥିବା ସଂଗ୍ରାମୀ ଏକାଡେମୀ ଓ ଜଗନ୍ନାଥ ମାନ୍ଧାତା ସ୍ମୃତି ପରିଷଦର ସ୍ବେଚ୍ଛାସେବୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ଯାଜପୁର ଜିଲ୍ଲା ସଭାପତି ଶ୍ରୀକାନ୍ତ କୁମାର ସାମଲ ସଂଯୋଜନା କରିଥିବା ବେଳେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସମ୍ପାଦକ ବିରୂପାକ୍ଷ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କେନ୍ଦ୍ରାପଡା ଗାନ୍ଧୀ ସ୍ମୃତି ପରିଷଦର ସମ୍ପାଦକ ରାଜେଶ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ସାମ୍ବାଦିକ ବିମଳ ପତି, ଅବିନେଶ୍ବର ଶତପଥୀ, ସଞ୍ଜୀବ କୁମାର ସାମଲ, ପ୍ରଭାସ କୁମାର ଦାସ, ହେମନ୍ତ କୁମାର ଦାସ,କିଶୋର କୁମାର ରାଉତ ପ୍ରମୁଖଙ୍କ ସହ ସଂଗ୍ରାମୀଙ୍କ ଦାୟାଦ ଅନ୍ତର୍ଯ୍ୟାମୀ ଜେନା, ପ୍ରବୋଧ କୁମାର ସାମଲ, ଧନଞ୍ଜୟ ତ୍ରିପାଠୀ ପ୍ରମୁଖ ସମ୍ବର୍ଦ୍ଧିତ ହୋଇଥିଲେ।
ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀର ରାଜ୍ୟବ୍ୟାପୀ ଉଦଯାପନୀ ଉତ୍ସବ ଆରମ୍ଭ
