ପୁଣି ଅଶାନ୍ତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍

ଭୁବନେଶ୍ବର: ସେପ୍ଟେମ୍ବର ୪ ସୁଦ୍ଧା ହଷ୍ଟେଲ୍‌ ଛାଡ଼ିବାକୁ ନୋଟିସ୍‌ ଲାଗିବାର ୨୪ ଘଣ୍ଟା ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ ଅଶାନ୍ତ ହୋଇ ଉଠିଛି । ମଙ୍ଗଳବାର ରାତି ପ୍ରାୟ ୮ ଟା ପର ଠାରୁ ଏହି ଉତ୍ତେଜନା ବୃଦ୍ଧି ପାଇଛି । ଖବର ଅନୁସାରେ ଅଣଛାତ୍ରମାନେ ଏକ ନମ୍ବର ହଷ୍ଟେଲ ବା ‘ଗୋପବନ୍ଧୁ ଛାତ୍ରବାସ’ ଫାଟକରେ ତାଲା ପକାଇ ଦେଇଥିଲେ । ହଷ୍ଟେଲ ୱାର୍ଡେନଙ୍କୁ ହଷ୍ଟେଲ ଭିତରକୁ ପ୍ରବେଶ କରିବା ପାଇଁ ଦେଇ ନଥିଲେ । ଏଥିସହ ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଓ ପୁଲିସ୍ ଅଧିକାରୀଙ୍କ ଉପରକୁ ଟେକାପଥର ମାଡ଼ କରିଛନ୍ତି।
ଏଥିରେ କେହି ଆହତ ହୋଇ ନ ଥିଲେ ମଧ୍ୟ କ୍ୟାମ୍ପସ୍‌ରେ ଚାପା ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଥିବାରୁ ପୁଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାଅନୁଯାୟୀ ଅଣଛାତ୍ରଙ୍କୁ ବାହାର କରିବା ସହ ଛାତ୍ରମାନଙ୍କୁ ହଷ୍ଟେଲ୍‌ ସିଟ୍‌ ବଣ୍ଟନ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଛାତ୍ରାବାସ ୧, ୨ ଓ ୩ରେ ଥିବା ରୁମ୍‌ ପଞ୍ଜୀକୃତ ଛାତ୍ରଙ୍କୁ ଆଲଟ୍‌ କରାଯିବାକୁ ଥିବାରୁ ଯେଉଁମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ ହଷ୍ଟେଲ୍‌ ରୁମ୍‌ ରେ ରହୁଛନ୍ତି ସେମାନଙ୍କୁ ସେପ୍ଟେମ୍ବର ୪ ସୁଦ୍ଧା ଛାଡ଼ି ଚାଲିଯିବାକୁ କୁହାଯାଇଥିଲା।

Leave a Reply

Your email address will not be published. Required fields are marked *