ଆରମ୍ଭ ହେଲା ୨୫ତମ ରାଜଧାନୀ ପୁସ୍ତକ ମେଳା

ଭୁବନେଶ୍ବର: ଶହୀଦ ନଗରସ୍ଥିତ ଦୁର୍ଗାପୂଜା ପଡ଼ିଆରେ ୨୫ତମ ରାଜଧାନୀ ପୁସ୍ତକ ମେଳା ଆରମ୍ଭ ହୋଇଛି। ଏହା ନଭେମ୍ବର ୨୩ ତାରିଖ ଯାଏଁ ଚାଲିବ । ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୩୦୦ ଜଣ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଏଠାରେ ନିଜର ଷ୍ଟଲ୍ ଖୋଲିଛନ୍ତି । ୧୪ ତାରିଖ ସନ୍ଧ୍ୟାରେ ଅନୁଷ୍ଠିତ ଏହି ପୁସ୍ତକମେଳାର ଉନ୍ମୋଚନ ଉତ୍ସବରେ ଉଦ୍‌ଘାଟକ ଭାବରେ ଯୋଗଦେଇଥିଲେ ବର୍ଷୀୟାନ ଲେଖକ ଶାନ୍ତନୁ କୁମାର ଆଚାର୍ଯ୍ୟ।ଏଥିରେ ସଭାପତିତ୍ବ କରିଥିଲେ ଉପେନ୍ଦ୍ର କୁମାର ଜେନା, ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ ସଂଘମିତ୍ରା ମିଶ୍ର ଏବଂ ମୁଖ୍ୟବକ୍ତା ଥିଲେ ପୀତବାସ ରାଉତରାୟ।ଏହି ପୁସ୍ତକ ପ୍ରଦର୍ଶନୀରେ କଟକ ସହରର ଅଧିକାଂଶ ପ୍ରକାଶକ ଯୋଗ ଦେଇଥିବା ବେଳେ ଭୁବନେଶ୍ବରସ୍ଥିତ ଓଡ଼ିଶା ପ୍ରକାଶକ ସଂଘ ସହିତ ଅନୁବନ୍ଧିତ ଥିବା ପ୍ରକାଶକମାନଙ୍କ ମଧ୍ୟରୁ କେବଳ ଜଣେ ମାତ୍ର ଯୋଗ ଦେଇଛନ୍ତି।କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ସଂସ୍ଥାମାନଙ୍କ ମଧ୍ୟରୁ ନ୍ୟାସନାଲ ବୁକ୍ ଟ୍ରଷ୍ଟ, ପବ୍ଲିକେସନ ଡିଭିଜନ, ଏନ୍.ସି.ଇ.ଆର୍.ଟି ପ୍ରମୁଖ ଯୋଗ ଦେଇଥିବା ବେଳେ ଓଡ଼ିଶା ରାଜ୍ୟ ସରକାରଙ୍କ ଅଧୀନରେ ଥିବା କୌଣସି ସଂସ୍ଥା ଯୋଗ ଦେଇନାହାନ୍ତି।ରାଜ୍ୟ ବାହାରର ପ୍ରମୁଖ ସଂସ୍ଥାମାନଙ୍କ ମଧ୍ୟରେ ଗୀତା ପ୍ରେସ୍, କଲ୍ୟାଣୀ ପବ୍ଲିକେଶନସ୍, ପେନଗୁଇନ୍ ରାନ୍‌ଡମ୍ ହାଉସ୍, ଅଷ୍ଟରିଚ୍, ହାର୍ପର କଲିନ୍ ପ୍ରଭୃତି ସଂସ୍ଥା ଏହି ମେଳାରେ ଉପସ୍ଥିତ ଅଛନ୍ତି।ଓଡ଼ିଶାର ଜଣାଶୁଣା ପ୍ରକାଶକଙ୍କ ମଧ୍ୟରୁ ଆମ ଓଡ଼ିଶା, ପକ୍ଷୀଘର, ଏ.କେ. ମିଶ୍ର, ଫ୍ରେଣ୍ଡସ୍ ପବ୍ଲିଶର୍ସ, ଓଡ଼ିଶା ବୁକ୍ ଷ୍ଟୋର, ଧର୍ମଗ୍ରନ୍ଥ ଷ୍ଟୋର ପ୍ରମୁଖ ମଧ୍ୟ ଯୋଗଦେଇଛନ୍ତି। କିଛି ଘରୋଇ ବିଶ୍ବବିଦ୍ୟାଳୟ ମଧ୍ୟ ଏଠାରେ ନିଜର ଷ୍ଟଲ୍ ଖୋଲିଛନ୍ତି। ପ୍ରଥମ ଦିନ ଏହି ମେଳାରେ ବିଶେଷ ଜନଗହଳି ନ ଥିଲେ ମଧ୍ୟ ପରବର୍ତ୍ତୀ ଦିନଠାରୁ ଏହା ବୃଦ୍ଧି ପାଇବ ବୋଲି ଆଶା କରାଯାଇଛି ।

Leave a Reply

Your email address will not be published. Required fields are marked *