ମହାନଦୀ ସଙ୍କଟର ସମାଧାନ କେବେ? ରାଜ୍ୟ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବା ନେଇ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନ

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ପୁଣିଥରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଓଡ଼ିଶାର ଜୀବନରେଖା ମହାନଦୀର ସୁରକ୍ଷା ଏବଂ ଜଳ ସଂକଟର ସମାଧାନ ନେଇ ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ମହାନଦୀ ସଂକଟର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କ’ଣ, ତାହା ସ୍ପଷ୍ଟ କରିବାକୁ ସେ ଦାବି କରିଛନ୍ତି।ଶ୍ରୀ ଆଚାର୍ଯ୍ୟ କହିଛନ୍ତି ଯେ, ମହାନଦୀ ଓଡ଼ିଶାର ଜୀବନ ସ୍ରୋତ। କିନ୍ତୁ ଗତ କିଛି ଦଶନ୍ଧି ହେଲା ଛତିଶଗଡ଼ ସରକାର ବେଆଇନ ଭାବେ ମହାନଦୀ ଉପର ମୁଣ୍ଡରେ ବ୍ୟାରେଜ ପରେ ବ୍ୟାରେଜ ନିର୍ମାଣ କରି ଚାଲିଛନ୍ତି। ଓଡ଼ିଶାର ବିନା ସହମତିରେ ଏବଂ ଆନ୍ତଃରାଜ୍ୟ ନଦୀଜଳ ଆଇନକୁ ଉଲ୍ଲଂଘନ କରି ଛତିଶଗଡ଼ ସରକାର ମହାନଦୀର ଜଳସ୍ରୋତକୁ ନିଜ ଇଚ୍ଛାରେ ନିୟନ୍ତ୍ରଣ କରୁଛନ୍ତି। ଜଳସେଚନ ନାଁରେ ଶିଳ୍ପ ସଂସ୍ଥାମାନଙ୍କୁ ପାଣି ଯୋଗାଇ ଦିଆଯାଉଛି, ଯାହାଫଳରେ ଓଡ଼ିଶାରେ ମହାନଦୀ ଶୁଷ୍କ ହେବାକୁ ବସିଲାଣି। ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ କେନ୍ଦ୍ରୀୟ ଜଳ ଆୟୋଗ (CWC) କେବଳ ନୀରବ ଦ୍ରଷ୍ଟା ସାଜିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯଦି ଏଭଳି ସ୍ଥିତି ଲାଗିରହେ, ତେବେ ଭବିଷ୍ୟତରେ ହୀରାକୁଦ ଜଳଭଣ୍ଡାର ଜଳଶୂନ୍ୟ ହେବାର ଆଶଙ୍କା ରହିଛି।

କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶାରେ ବର୍ତ୍ତମାନ ଗୋଟିଏ ଦଳର ସରକାର ଥିବାରୁ ଲୋକେ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ ଆଶା କରିଥିଲେ। କିନ୍ତୁ ରାଜ୍ୟ ସରକାର କେବଳ କମିଟି ଗଠନ କରି ଚୁପ୍ ବସିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ଟ୍ରିବ୍ୟୁନାଲରେ ମାମଲା ୭ ବର୍ଷରୁ ଅଧିକ ସମୟ ଧରି ପଡ଼ିରହିଥିବା ବେଳେ ରାଜ୍ୟ ସରକାର ଆପୋଷ ସମାଧାନର ପ୍ରସ୍ତାବ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ପ୍ରସନ୍ନ ଆଚାର୍ଯ୍ୟ ସରକାରଙ୍କୁ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ପଚାରିଛନ୍ତି:

୧. ଆପୋଷ ସମାଧାନ ପାଇଁ ଆଲୋଚନାର ସର୍ତ୍ତାବଳୀ କଣ ରହିବ?

୨. ସରକାର ମହାନଦୀ ଟ୍ରିବ୍ୟୁନାଲରୁ ଓହରିଯିବେ କି?

୩. ଆପୋଷ ସମାଧାନ ପୂର୍ବରୁ ରାଜ୍ୟ ସରକାର ବିରୋଧୀ ଦଳ ଓ ମହାନଦୀ ବଞ୍ଚାଅ ଆନ୍ଦୋଳନ ସଂଗଠନଗୁଡ଼ିକୁ ବିଶ୍ୱାସକୁ ନେବେ କି?

୪. ଆଲୋଚନା ଚାଲିଥିବା ସମୟରେ ଛତିଶଗଡ଼ ସରକାର ଚାଲୁ ରଖିଥିବା ବେଆଇନ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବେ କି?

୫. ମହାନଦୀ ଟ୍ରିବ୍ୟୁନାଲର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଆବେଦନ କରିବେ କି?

Leave a Reply

Your email address will not be published. Required fields are marked *