ଜିରୋ ନାଇଟ୍‌ରେ ରାଜଧାନୀର ୨୪ ଛକରେ ନାକାବନ୍ଦୀ, ମଦ୍ୟପଙ୍କୁ ନାହିଁ ନିସ୍ତାର

ଭୁବନେଶ୍ୱର: ଆଉ ୨ଦିନ ପରେ ପୁରୁଣା ବର୍ଷ ବିଦାୟ ନେବା ସହ ନୂଆବର୍ଷର ଆଗମନ ହେବ। ନୂଆ ବର୍ଷକୁ ସ୍ୱାଗତ ସହ ଜିରୋ ନାଇଟ୍‌ ପାଳନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅଧ ରାତିରେ ମତୁଆଲା ହେବାକୁ ଅନାଇ ବସିଛନ୍ତି ଯୁବପିଢ଼ି। ଏହାରି ଭିତରେ ସବୁକିଛି ସୁରୁଖୁରୁରେ ସମାପନ କରିବା ଲାଗି କମିସନରେଟ ପୁଲିସ ଅଣ୍ଟା ଭିଡ଼ିଛି। ଜିରୋ ନାଇଟ୍‌ ସେଲିବ୍ରେସନ୍‌ ବେଳେ ଜିରୋ ଟଲରାନ୍ସ ନୀତି ଆପଣାଇବ ପୁଲିସ। ପାଳନ ହେଉଥିବା ସ୍ଥାନ ସମେତ ସହରର ବିଭିନ୍ନ ଯାଗାରେ ପାଟ୍ରୋଲିଂ ସାଙ୍ଗକୁ ଯାଞ୍ଚ କରାଯିବ। ଏଥିଲାଗି କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।
ବୁଧବାର ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି କରାଯାଇଛି। କ୍ଲବ୍‌ ଓ ପବ୍‌ଗୁଡ଼ିକରେ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ବାର୍‌ଗୁଡ଼ିକ ମଧ୍ୟ ପଛରେ ପଡ଼ିନାହାନ୍ତି। ଏଥିସହିତ ବିଭିନ୍ନ ସ୍ଥାନରେ ଭୋଜିଭାତ ସାଙ୍ଗକୁ ମଦର ଆସର ଜମିବ। ପୂର୍ବରୁ ଜିରୋ ନାଇଟରେ ଅନେକ ଅଘଟଣ ଘଟିଥିବାରୁ ଏଥର ସଜାଗ ହୋଇଛି ପୁଲିସ। ବୁଧବାର ରାତିରେ ଡ୍ରଙ୍କ୍‌ ଆଣ୍ଡ୍‌ ଡ୍ରାଇଭ୍‌ ଅଭିଯାନକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି ସହରର ୨୪ଟି ଛକରେ କମିସନରେଟ ପୁଲିସ ପକ୍ଷରୁ ନାକାବନ୍ଦୀ କରିବାକୁ ଯୋଜନା କରାଯାଇଛି। ବିଭିନ୍ନ ଛକରେ ନାକାବନ୍ଦୀ କରି ମଦ୍ୟପ ଚାଳକଙ୍କୁ ଧରିବାକୁ ପୁଲିସ ଯୋଜନା କରିଛି। ୨୪ଟି ନାକାବନ୍ଦୀ ସହିତ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିବା ଲାଗି ୫ ଜଣ ଅତିରିକ୍ତ ଡିସିପି, ୮ ଏସିପି, ୩୦ ଜଣ ଇନ୍ସପେକ୍ଟର, ୯୬ ଜଣ ଏସ୍‌ଆଇ/ଏଏସ୍‌ଆଇ ଓ ୫୮ ଜଣ ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରାଯିବ। ଏଥିସହ ମହିଳାମାନେ କିପରି ସୁରକ୍ଷିତ ଭାବେ ଜିରୋ ନାଇଟ୍‌ ସେଲିବ୍ରେସନ୍‌ କରିବେ, ସେଥିପାଇଁ ବ୍ୟବସ୍ଥା କରିବାକୁ ହୋଟେଲମାନଙ୍କୁ କୁହାଯାଇଛି।
ବିଭିନ୍ନ ହୋଟେଲରେ ପୁଲିସ ପକ୍ଷରୁ ଅଚାନକ ଚଢ଼ଉ କରିବାକୁ ଯୋଜନା ହୋଇଛି। ଏଥିସହ ସହରରେ ଥିବା ସମସ୍ତ ଥାନା ଆଲର୍ଟରେ ରହିବାକୁ କୁହାଯାଇଛି। ସେପଟେ ନୂଆବର୍ଷ ଲାଗି ରାଜଧାନୀର ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଭିଡ଼ ହେବାର ଆଶଙ୍କା କରାଯାଉଛି। ସେଥିଲାଗି ମଧ୍ୟ ପୁଲିସ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଶାନ୍ତିସ୍ତୁପ ଧଉଳିରେ ଗୋଟିଏ ସେକ୍ସନ ଫୋର୍ସ ଓ ୨ ମହିଳା କନେଷ୍ଟବଳ, ନନ୍ଦନକାନନରେ ଗୋଟିଏ ସେକ୍ସନ ଫୋର୍ସ ଓ ୪ ଜଣ ମହିଳା କନେଷ୍ଟବଳ ଏବଂ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ୨ ସେକ୍ସନ ଓ ୪ ମହିଳା କନେଷ୍ଟବଳ ନିୟୋଜିତ କରାଯାଇଛି। ସେହିପରି ଖଣ୍ଡଗିରି ଓ ଉଦୟଗିରି ପାହାଡ଼ରେ ଗୋଟିଏ ସେକ୍ସନ ଫୋର୍ସ ଓ ୪ ମହିଳା କନେଷ୍ଟବଳ ମୁତୟନ ହୋଇଛନ୍ତି। ଏହା ବାଦ୍‌ ସ୍ଥାନୀୟ ଥାନାର ଅଧିକାରୀମାନେ ସଂପୃକ୍ତ ଅଞ୍ଚଳରେ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି।

Leave a Reply

Your email address will not be published. Required fields are marked *