ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି: ନବୀନ ପଟ୍ଟନାୟକ

ଭୁବନେଶ୍ବର: ପରୀକ୍ଷା ବାତିଲ ପରେ ବାତିଲ ହେବା ଲକ୍ଷ ଲକ୍ଷ ପିଲାଙ୍କ ସ୍ୱପ୍ନକୁ ଧୂଳିସାତ କରୁଛି। ଏଏନଏମ ପରୀକ୍ଷା ବାତିଲ କରି ରାଜ୍ୟ ବିଜେପି ସରକାର ପୁଣି ହଜାର ହଜାର ଆଶାୟୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ଦେଇଛନ୍ତି। ପିଲାଙ୍କ ସ୍ୱପ୍ନ କେତେ ଆଉ ଭାଙ୍ଗିବ, କେତେ ଆଉ ପିଲାଙ୍କ ଭବିଷ୍ୟତ ସହ ଖେଳାଯିବ ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ପରୀକ୍ଷା ପରେ ପରୀକ୍ଷା ବାତିଲ ହେବା, ସ୍ଥଗିତ ହେବା ବିଜେପି ସରକାରର ଅପାରଗତାକୁ ଦର୍ଶାଉଛି। ୧୮ ମାସର ସରକାରରେ ପାଖାପାଖି ୧୮ଟି ନିଯୁକ୍ତି ପରୀକ୍ଷା ବାତିଲ ହେଲାଣି। ସରକାର କ’ଣ ଦର୍ଶାଇବାକୁ ଚାହୁଁଛନ୍ତି ବୋଲି ନବୀନ ପ୍ରଶ୍ନ କରିଛନ୍ତି। ରାଜ୍ୟର ପିଲାମାନଙ୍କ ଆଶା, ସ୍ୱପ୍ନ ଏପରି ଧୂଳିସାତ ହେଉଥିବ କି ନେଇ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଏହା ସହ ସରକାର ସଜାଗ ହୁଅନ୍ତୁ, ସମସ୍ତ ପରୀକ୍ଷା ଯେପରି ନିୟମିତ ଏବଂ ସ୍ୱଚ୍ଛତାର ସହ ହେବ ତାହା ସୁନିଶ୍ଚିତ କରନ୍ତୁ ବୋଲି ନବୀନ କହିଛନ୍ତି। ସୂଚନା ଅନୁଯାୟୀ, ଗତକାଲି ରାଜ୍ୟରେ ପୁଣିଥରେ ପରୀକ୍ଷା ବିଭ୍ରାଟ ଦେଖାଦେଇଥିଲା। ପରୀକ୍ଷାର ଠିକ୍‌ ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ ହୋଇଥିଲା। ଶୁକ୍ରବାର ଏଏନ୍‌ଏମ୍‌ ପରୀକ୍ଷା ଥିବା ବେଳେ ପରୀକ୍ଷାର ୩ ଘଣ୍ଟା ପୂର୍ବରୁ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା। ଦ୍ୱିତୀୟ ବର୍ଷ ପିଲାଙ୍କ ପଞ୍ଚମ ପେପର୍‌ ‘ମିଡ ୱାଇଫେରୀ’ ଦିନ ୨ଟା ବେଳେ ଆରମ୍ଭ ହେବାର ଥିଲା। ହେଲେ ଦିନ ୧୧ଟା ବେଳକୁ ଏହା ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲିଥିଲା। ଏପରିକିି, ବଜାରରେ ଏହାର ପ୍ରିଣ୍ଟ କପି ମଧ୍ୟ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ମାଲକାନାଗିରି ଓ ବଲାଙ୍ଗିରରୁ ପ୍ରଶ୍ନପତ୍ର ଲିକ୍‌ ଘଟଣା ସାମ୍ନାକୁ ଆସିବା ପରେ ଡିଏମ୍‌ଇଟି ପକ୍ଷରୁ ପରୀକ୍ଷାକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରାଜ୍ୟରେ ବାରମ୍ବାର ପରୀକ୍ଷା ବିଭ୍ରାଟ ମେଧାବୀ ଛାତ୍ରଛାତ୍ରୀଙ୍କୁ ହତୋତ୍ସାହିତ କରୁଛି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଦିନରାତି ପରିଶ୍ରମ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ ମଧ୍ୟ ସ୍ୱଚ୍ଛତାର ସହ ପରୀକ୍ଷା କରାଇବାରେ ସରକାର ବିଫଳ ହୋଇଛନ୍ତି। ଏହା ପୂର୍ବରୁ ଏକାଧିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଓ ପରୀକ୍ଷା ପରିଚାଳନାରେ ବିଭ୍ରାଟ ପରି ଘଟଣା ପରୀକ୍ଷାର୍ଥୀଙ୍କୁ ବିଚଳିତ କରିଛି। ପୁଲିସ୍‌ ଏସ୍‌ଆଇ ଚାକିରି ବିକ୍ରି ଘଟଣା ପଦାକୁ ଆସିବା ପରେ ଆଶାୟୀଙ୍କ ମେରୁଦଣ୍ଡ ଦୋହଲି ଯାଇଥିଲା। ଏତେ ବଡ଼ ସ୍ତରରେ କେଳେଙ୍କାରୀ ହେଉଥିବା ଜଣାପଡ଼ିବା ପରେ ସେମାନଙ୍କ ମନୋବଳ ଭାଙ୍ଗି ଯାଇଛି। ଏବେ ଯେକୌଣସି ନିଯୁକ୍ତି ପରୀକ୍ଷାକୁ ନେଇ ସେମାନଙ୍କ ମନରେ ସନ୍ଦେହ ଉପୁଜୁଥିବା ବେଳେ ସରକାର ସକାରାତ୍ମକ ପରିବେଶ ସୃଷ୍ଟି କରିବାରେ ବିଫଳ ହେଉଛନ୍ତି। ଅପରପକ୍ଷେ, ଗୋଟିଏ ପରେ ଗୋଟିଏ ପରୀକ୍ଷା ବିଭ୍ରାଟ ହେଉଥିବାରୁ ସରକାରଙ୍କ ଆନ୍ତରିକତା ନେଇ ମଧ୍ୟ ସେମାନେ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ସରକାର ବଦଳିବା ପରେ ପରୀକ୍ଷା ବିଭ୍ରାଟ ଉତ୍କଟ ରୂପ କିପରି ନେଇଛି ବୋଲି ପ୍ରଶ୍ନ କରିଛନ୍ତି।

Leave a Reply

Your email address will not be published. Required fields are marked *