ଭୁବନେଶ୍ୱର: ରାଜ୍ୟ ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ସମଗ୍ର ରାଜ୍ୟକୁ ସ୍ତବ୍ଧ କରିଦେଇଛି। ଏହି ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ବିଚଳିତ କରିଦେବା ଭଳି ପରିସ୍ଥିତି ସୃଷ୍ଟି କରିଛି ବୋଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି। ରାଜଧାନୀରେ ବର୍ବରତା ଓ ଅରାଜକତା ସୀମା ଟପୁଥିବା ବେଳେ ଏଠାରେ ମହିଳା ଓ ନାବାଳିକାମାନେ କେତେ ସୁରକ୍ଷିତ, ତାହା ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ନବୀନ କହିଛନ୍ତି। ରାଜଧାନୀ ଉପକଣ୍ଠରେ ଦୟାନଦୀ ନିକଟରେ ଗଣଦୁଷ୍କର୍ମ ପରି ଲଜ୍ଜାଜନକ ଘଟଣା ଘଟିବା ଯେତିକି ନିନ୍ଦନୀୟ ସେତିକି ଦୁର୍ଭାଗ୍ଯଜନକ । ଏହି ଘଟଣାକୁ ନିନ୍ଦା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମହିଳାମାନଙ୍କ ସୁରକ୍ଷା ପ୍ରତି ସରକାର କେବେ ସଚେତନ ହେବେ? ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରଶ୍ନ କରିଛନ୍ତି । ଖବର ଅନୁଯାୟୀ, ରାଜଧାନୀ ଉପକଣ୍ଠ ଧଉଳିରୁ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ପୁରୁଷବନ୍ଧୁଙ୍କ ସହ ବୁଲି ଯାଇଥିବା ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ଦିନ ଦି’ପହରେ ଦୁର୍ବୃତ୍ତମାନେ ପୁରୁଷବନ୍ଧୁଙ୍କୁ ମାଡ଼ ମାରି ତାଙ୍କ ଆଖି ଆଗରେ ନାବାଳିକାକୁ ଗଣଦୁଷ୍କର୍ମ କରିଛନ୍ତି। ଏହାକୁ ନେଇ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି। ଗତ ୧୦ ତାରିଖରେ ଏହି ବର୍ବର କାଣ୍ଡ ଘଟିଥିବା ବେଳେ ଆଜି ପଦାକୁ ଆସିଛି। ଏହି ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ, ନାବାଳିକାଜଣଙ୍କ ତାଙ୍କ ପୁରୁଷବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିଲେ। ପରେ ସେମାନେ ଲିଙ୍ଗିପୁର ନିକଟ ଦୟାନଦୀ କୂଳ ଦେଇ ଘରକୁ ଫେରୁଥିଲେ। ଏହି ସମୟରେ ୫ଜଣ ଦୁର୍ବୃତ୍ତ ଦୁଇଟି ବାଇକ୍ରେ ତାଙ୍କୁ ପିଛା କରିଥିଲେ। ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ଲୁଟ୍ ଉଦ୍ୟମ କରିଥିଲେ। ନାବାଳିକା ଏବଂ ପୁରୁଷବନ୍ଧୁ ସେମାନଙ୍କୁ ବିରୋଧ କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇଯାଇଥିଲେ। ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ନିସ୍ତୁକ ମାଡ଼ ମାରିବା ପରେ ତାଙ୍କ ଆଖି ଆଗରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ନାବାଳିକା ଜଣଙ୍କ ଯେତେ କାକୁତିମିନତି ହୋଇଥିଲେ ହେଁ ଯୌନପିପାସୁ ରାକ୍ଷସମାନେ କିଛି ଶୁଣି ନଥିଲେ। ପରେ ସେମାନେ ଉଭୟଙ୍କଠାରୁ ସୁନା, ଟଙ୍କା ଲୁଟ୍ କରି ଫେରାର୍ ହୋଇଯାଇଥିଲେ। ଏନେଇ ନାବାଳିକା ଜଣଙ୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତମାନେ ଫେରାର ଥିବା ଜଣାପଡ଼ିଛି। ଏହି ଘଟଣାରେ ନାବାଳିକା ଏବଂ ପୁରୁଷବନ୍ଧୁଙ୍କ ବୟାନ ରେକର୍ଡ କରାଯାଇଛି।
ଧଉଳିରେ ଲଜ୍ଜାଜନକ ଘଟଣା: ରାଜ୍ୟ ସରକାରଙ୍କୁ ନବୀନ ଓ ରାମଚନ୍ଦ୍ର କାଡାମଙ୍କ ଟାର୍ଗେଟ୍, ‘ଆଇନଶୃଙ୍ଖଳା କେତେ ଆଉ ବିପର୍ଯ୍ୟସ୍ତ ହେଲେ ସରକାର ସଜାଗ ହେବେ’
