ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ-ରାହୁଲଙ୍କୁ ବଡ଼ ଆଶ୍ୱସ୍ତି, ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ

ନୂଆଦିଲ୍ଲୀ: ନ୍ୟାସନାଲ ହେରାଲ୍ଡ ମାମଲାରେ ଗାନ୍ଧୀ ପରିବାରଙ୍କୁ ବଡ଼ ଆଶ୍ବସ୍ତି । ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ମନି ଲଣ୍ଡ୍ରିଂ ନେଇ ଇଡି ଚାର୍ଜସିଟ୍‌କୁ ପ୍ରତ୍ୟାଖ୍ୟାନ କଲେ ଦିଲ୍ଲୀ କୋର୍ଟ । ଇଡି ଡାର୍ଜସିଟ୍‌ ଉପରେ ବିଚାର କରିବାକୁ ମନା କଲେ କୋର୍ଟ । ମଙ୍ଗଳବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗକୁ ଖାରଜ କରିଦେଇଛନ୍ତି। କୋର୍ଟ ସ୍ପଷ୍ଟ କରିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲଏ) ଅଧୀନରେ କୌଣସି ମାମଲାର ବିଚାର ପାଇଁ ପ୍ରଥମେ ଏଫଆଇଆର ରହିବା ବାଧ୍ୟତାମୂଳକ। କିନ୍ତୁ ଏହି କ୍ଷେତ୍ରରେ କୌଣସି ଏଫଆଇଆର ନଥିବାରୁ ଏହା ଆଇନଗତ ଭାବେ ଗ୍ରହଣୀୟ ନୁହେଁ। ବିଚାରପତି କହିଛନ୍ତି ଯେ କେବଳ ଜଣେ ବ୍ୟକ୍ତିବିଶେଷଙ୍କ ଅଭିଯୋଗ ଆଧାରରେ ପିଏମ୍ଏଲଏ ମାମଲା ଚାଲିପାରିବ ନାହିଁ। ଯଦିଓ କୋର୍ଟ ବର୍ତ୍ତମାନ ପାଇଁ ଇଡିର ଅଭିଯୋଗକୁ ଖାରଜ କରିଛନ୍ତି, ତଥାପି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହାର ତଦନ୍ତ ଜାରି ରଖିପାରେ ବୋଲି ଅନୁମାନ କରାଯାଉଛି। କାରଣ ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖା ନିକଟରେ ଏହି ମାମଲାରେ ଏକ ନୂତନ ଏଫଆଇଆର ପଞ୍ଜିକରଣ କରିଛି। କୋର୍ଟ କହିଛନ୍ତି ଯେ ଯେହେତୁ ଅର୍ଥନୈତିକ ଅପରାଧ ଶାଖାର ତଦନ୍ତ ପ୍ରକ୍ରିୟା ଜାରି ରହିଛି, ତେଣୁ ବର୍ତ୍ତମାନ ସମୟରେ ଇଡିର ଯୁକ୍ତି ଉପରେ ରାୟ ଦେବା ଏକ ଅପରିପକ୍ୱ ନିଷ୍ପତ୍ତି ହେବ। ଇଡି ଅଭିଯୋଗ କରିଥିଲା ଯେ ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ୍ ଲିମିଟେଡ୍ (ଯେଉଁଥିରେ ସୋନିଆ ଏବଂ ରାହୁଲଙ୍କର ୭୬% ଅଂଶଧନ ରହିଛି) ମାଧ୍ୟମରେ ନ୍ୟାସନାଲ ହେରାଲ୍ଡର ପ୍ରକାଶକ ଆସୋସିଏଟେଡ୍ ଜର୍ଣ୍ଣାଲସ୍ ଲିମିଟେଡ୍ ର କୋଟି କୋଟି ଟଙ୍କାର ସମ୍ପତ୍ତିକୁ ବେଆଇନ ଭାବେ ଅକ୍ତିଆର କରାଯାଇଛି। ତେବେ କଂଗ୍ରେସ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି ଯୁକ୍ତି ଦର୍ଶାଇଥିଲେ ଯେ ଏହି ମାମଲାରେ କୌଣସି ଅର୍ଥ କିମ୍ବା ସମ୍ପତ୍ତିର ହେରଫେର ହୋଇନାହିଁ, କେବଳ କମ୍ପାନୀର ମାଲିକାନା ପରିବର୍ତ୍ତନ ହୋଇଛି। କଂଗ୍ରେସ ଏହି ମାମଲାକୁ ବାରମ୍ବାର “ରାଜନୈତିକ ପ୍ରତିଶୋଧ” ବୋଲି କହିଆସୁଛି।

Leave a Reply

Your email address will not be published. Required fields are marked *