ଏଥର ମହଙ୍ଗା ହେବ ହେଲି କପ୍ଟରରେ କେଦାରନାଥ ଧାମକୁ ଯାତ୍ରା

ଡେରାଡୁନ: ଏଥର ହେଲିକପ୍ଟରରେ କେଦାରନାଥ ଧାମକୁ ଯାତ୍ରା କରିବା ଶ୍ରଦ୍ଧାଳୁମାନଙ୍କୁ ମହଙ୍ଗା ପଡିବ । ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ବିକାଶ ପ୍ରାଧିକରଣ (ୟୁସିଏଡିଏ) ହେଲିକପ୍ଟର ଭଡ଼ା ୪୯ ପ୍ରତିଶତ ବୃଦ୍ଧି କରିଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଚୂଡ଼ାନ୍ତ ଅନୁମତି ଦେଲେ ନୂତନ ଦର ସେପ୍ଟେମ୍ବର ୧୫ ରୁ ଲାଗୁ ହେବ ।
ଏହି ଅନୁମତି ମିଳିବା ପରେ ହିଁ, ସେପ୍ଟେମ୍ବର ୧୦ରୁ ଆଇଆରସିଟିସି ୱେବସାଇଟ୍ ରେ ଅନଲାଇନ୍ ଟିକେଟ୍ ବୁକିଂ ଆରମ୍ଭ ହେବ । ଗୁପ୍ତକାଶୀରୁ କେଦାରନାଥ ପର୍ଯ୍ୟନ୍ତ ରାଉଣ୍ଡ ଟ୍ରିପ୍ ଭଡ଼ା ୧୨ ହଜାର ୪ଶହ୪୪ ଟଙ୍କା ସ୍ଥିର କରାଯାଇଛି । ଫାଟାରୁ ଭଡ଼ା ୮,୯୦୦ ଟଙ୍କା ଏବଂ ସିରସିରୁ ୮,୫୦୦ ଟଙ୍କା ହେବ । ପୂର୍ବରୁ ଗୁପ୍ତକାଶୀରୁ ପ୍ରାୟ ୮,୫୦୦ ଟଙ୍କା ଏବଂ ଫାଟା ଏବଂ ସିରସିରୁ ପ୍ରାୟ ୬,୫୦୦ ଟଙ୍କାରେ ଟିକେଟ୍ ଉପଲବ୍ଧ ଥିଲା । ୟୁସିଏଡିଏ ସିଇଓ ଆଶିଷ ଚୌହାନ କହିଛନ୍ତି ଯେ, ଯାତ୍ରୀଙ୍କ ସୁରକ୍ଷାକୁ ଧ୍ୟାନରେ ରଖି, ଏଥର ହେଲିକପ୍ଟର ସେବାରେ ବୈଷୟିକ ଉନ୍ନତି କରାଯାଉଛି । ଚାରି ଧାମରେ ​​ଅଟୋମେଟିକ ଓ୍ବେଦର ଷ୍ଟେସନ ସ୍ଥାପନ କରାଯିବ, ଯାହା ପାଗ ବିଷୟରେ ସଠିକ୍ ଏବଂ ବାସ୍ତବ-ସମୟ ସୂଚନା ପ୍ରଦାନ କରିବ ।
ଏହାବ୍ୟତୀତ, ପିଟିଜି କ୍ୟାମେରା, ଏଟିସି, ଭିଏଚଏଫ ସେଟ୍ ଏବଂ ସିଲୋମିଟର ସ୍ଥାପନ କରାଯିବ । ଦୁଇଟି ନିୟନ୍ତ୍ରଣ କକ୍ଷ ମଧ୍ୟ ନିର୍ମାଣ କରାଯାଉଛି – ଗୋଟିଏ ଡେରାଡୁନର ସହସ୍ତ୍ରଧାରାରେ ଏବଂ ଅନ୍ୟଟି ସିରସିରେ । ଭୂମି ନିୟନ୍ତ୍ରଣ ପାଇଁ ୨୨ ଜଣ ଅପରେଟରଙ୍କ ଏକ ଟିମ୍ ନିୟୋଜିତ କରାଯିବ, ଯାହା ଦ୍ଵାରା ବିମାନଗୁଡିକ ନିରନ୍ତର ତଦାରଖ କରାଯାଇପାରିବ ।
ଗତ ବର୍ଷଗୁଡ଼ିକରେ ବଦ୍ରିନାଥ ଏବଂ ଗଙ୍ଗୋତ୍ରୀ ରୁଟରେ ହେଲିକପ୍ଟର ଦୁର୍ଘଟଣା ପରେ, ଡିସିଜିଏ ରାଜ୍ୟ ସରକାରଙ୍କୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏଥିପାଇଁ ଗୃହ ସଚିବ ଶୈଳେଶ ବଗୌଲିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ହେଲି ସେବାର ସୁରକ୍ଷା ସମ୍ପର୍କରେ ଅନେକ ସୁପାରିଶ ଦେଇଥିଲା ।

Leave a Reply

Your email address will not be published. Required fields are marked *