(ସହର ପରିସ୍ଥିତିକୁ ନେଇ ଗଠିତ ହେଲା କଟକ ଶାନ୍ତି ସଦଭାବନା ସମିତି)
କଟକ, (ତା ୫/୧୦) : କଟକ ହଜାର ବର୍ଷର ଐତିହାସିକ ସହର। କଟକର ଭାଇଚାରା ସମଗ୍ର ଦେଶ ପାଇଁ ଏକ ଉଦାହରଣ ହୋଇ ଛିଡା ହୋଇଛି। ଏହାର ଇତିହାସରେ ଦଙ୍ଗାର ସ୍ଥାନ ନାହିଁ। ଦୂର୍ଗା ପୂଜା ଭଷାଣୀ ସମୟରେ ହୋଇଥିବା ଏକ ଦୁର୍ଘଟଣା ପାଇଁ କଟକ ନିନ୍ଦିତ ହୋଇଛି। ଏହାକୁ ଆଉ ଆଗକୁ ନବଢ଼ାଇ ଏଠାରେ ପୂର୍ବଭଳି ଶାନ୍ତି ସୌହାର୍ଦ୍ଦ୍ୟର ବାତାବରଣ ଫେରାଇ ଆଣିବାକୁ କଟକର ବିଭିନ୍ନ ବୁଦ୍ଧିଜୀବୀ, ସାମାଜିକ ସାମାଜିକ, ରାଜନୈତିକ କର୍ମୀ କଟକ ଗାନ୍ଧୀ ଭବନ ଠାରେ ଏକ ସଭା କରି ଆହ୍ବାନ ଜଣାଇଛନ୍ତି।
ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ମନୋରଞ୍ଜନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଉପସ୍ଥିତ ଜନସାଧାରଣ କଟକରେ ସ୍ଥାୟୀ ଶାନ୍ତି ସ୍ଥାପନ ଲକ୍ଷରେ ‘କଟକ ଶାନ୍ତି ସଦଭାବନା ସମିତି’ ଗଠନ କରିଛନ୍ତି। ଏହି ସଭାରେ କଟକ ସହରର ସାହି ମୁରବୀ, ପୂଜା କମିଟିର ମୁଖ୍ୟ, ମୋହଲ୍ଲା କମିଟି ତଥା ଶାନ୍ତି କମିଟିମାନଙ୍କୁ ଶାନ୍ତି ସ୍ଥାପନ ନିମନ୍ତେ କାର୍ଯ୍ୟ କରିବା ତଥା ବିଭିନ୍ନ ଗୁଜବର ସତ୍ୟାସତ୍ୟ ଲୋକଙ୍କୁ ଜଣାଇବାକୁ ନିବେଦନ କରାଯାଇଛି। ଜିଲ୍ଲା ଓ ପୋଲିସ ପ୍ରଶାସନ ନିୟମିତ ସମୟ ଅନ୍ତରରେ ବ୍ୟାପୁଥିବା ବିଭିନ୍ନ ଗୁଜବକୁ ଖଣ୍ଡନ କରିବା ସହ ସତ୍ୟାସତ୍ୟ ଖବର ବାବଦରେ ସାମାଜିକ ଓ ଅନ୍ୟ ଗଣମାଧ୍ୟମ ମାଧ୍ୟମରେ ଜଣାଇବା ଆବଶ୍ୟକ ବୋଲି କୁହାଯାଇଛି। ଏଥିସହିତ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ମିଥ୍ୟା ଓ ବିଦ୍ବେଷ ମୂଳକ ପ୍ରଚାର କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବୀ ହୋଇଛି। ବିଗତ ଦିନରେ ଘଟିଯାଇଥିବା ଘଟଣା ସମ୍ବନ୍ଧରେ ନିରପେକ୍ଷ ତଦନ୍ତ କରିବା ନିମନ୍ତେ କ୍ୟାଟର ପୂର୍ବତନ ଜାତୀୟ ଉପସଭାପତି ତଥା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଏକ କମିଟି ସହରର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସ୍ଥିର ହୋଇଛି। କଟକ ବନ୍ଦ ପାଇଁ ଡାକରା ଦେଇଥିବା ସଂଗଠନ ଏଥିରୁ ଓହରିଯିବା ପାଇଁ ମଧ୍ୟ ନିବେଦନ କରାଯିବା ସହ ଯେଉଁମାନେ ସହରରେ ଦଙ୍ଗା ଭଳି ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରିବେ, ସୁପ୍ରିମକୋର୍ଟ ନିର୍ଦ୍ଦେଶ ଅନୁସାରେ ଯଦି ସହରରେ କୌଣସି କ୍ଷୟକ୍ଷତି ହୁଏ, ତେବେ ସେମାନଙ୍କ ଠାରୁ ଆଦାୟ କରାଯିବ ବୋଲି ପ୍ରଶାସନ ଘୋଷଣା କରୁ ବୋଲି ଦାବୀ ହୋଇଛି।
କଟକ ହିଂସା ବାବଦରେ ଜିଲ୍ଲା ପ୍ରଶାସନ ତଥା ମୁଖ୍ୟମନ୍ତ୍ରୀ ବିବୃତି ପ୍ରଦାନ କରିବାକୁ କଟକ ଶାନ୍ତି ସଦଭାବନା ସମିତି ପକ୍ଷରୁ ଶୈଳ ବେହେରା, ଚିତ୍ତ ରଞ୍ଜନ ମହାନ୍ତି, ଆଡଭକେଟ କ୍ଷୀରୋଦ ରାଉତ, କିଶୋର ଜେନା, ବିଜୟ ପଢ଼ିଆରୀ, ଡାକ୍ତର ନିବେଦିତା ଦାସ, ବିଶ୍ୱଜିତ ପାଣି, ବିଶ୍ୱାବସୁ ଦାସ, ଭିକାରୀ ଦାସ, ରବି ନାରାୟଣ ମଲ୍ଲିକ, ସୁଶାନ୍ତ ମହାପାତ୍ର, ଜୟନ୍ତ କୁମାର ଦାସ, ରୋହନ ମହାନ୍ତି, ଲକ୍ଷ୍ମୀ ପ୍ରକାଶ ମହାପାତ୍ର, ହରିହର ସେନ, ଆଡ଼ଭକେଟ ଜଗନ୍ନାଥ ମହାନ୍ତି, ଦୀପାୟନ ପଟ୍ଟନାୟକ, କାଶୀନାଥ ସ୍ବାଇଁ, ପ୍ରସନ୍ନ ମହାପାତ୍ର, ବିଶ୍ୱଜିତ ସୂର୍ଯ୍ୟବଂଶୀ, ବିନୋଦ ବେହେରା, ଅନିମା ରାୟ, ଶିଶିର ଦାସ, ଅଭୟ ଦାସ ପ୍ରମୁଖ ଦାବୀ କରିଛନ୍ତି। ଏହି ସଭାକୁ ଡାକ୍ତର ବିଶ୍ୱଜିତ ସଂଚାଳନ କରିଥିଲେ।
