ଭୁବନେଶ୍ୱର: ରାଜ୍ୟରେ ସାର ଯୋଗାଣରେ ବ୍ୟାପକ ଅବ୍ୟବସ୍ଥା, କଳାବଜାର, ଅପମିଶ୍ରଣ ଏବଂ ବଜାରରେ ୟୁରିଆ ମିଳୁନଥିବାରୁ ଚାଷୀ କୂଳ ଏକପ୍ରକାର ହନ୍ତସନ୍ତ ହେଉଛନ୍ତି । ବିଭିନ୍ନ ସ୍ଥାନରେ ବିଶେଷ କରି ଆଦିବାସୀ ବହୁଳ ଜିଲ୍ଲାରେ ସାର ସମସ୍ୟା ଉତ୍କଟ ହୋଇଛି । ସାର ପାଇଁ ଆଜି ରାସ୍ତାରେ ଚାଷୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଚାଷୀକୂଳର ଏ ସମସ୍ୟା ନେଇ ଉଦବେଗ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ପତ୍ର ଲେଖି ସାର ଯୋଗାଣରେ ଅବ୍ୟବସ୍ଥା ସମ୍ପର୍କରେ ଅବଗତ କରାଇବା ସହ ଓଡ଼ିଶା ଚାଷୀ କୂଳର ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ତୁରନ୍ତ ଆବଶ୍ୟକ ୟୁରିଆ ଯୋଗାଣ ସୁନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି । କୃଷି ଓଡ଼ିଶାର ଅର୍ଥନୀତିର ମୁଖ୍ୟ ଆଧାର ଓ ଆମର ୭୦ ଭାଗରୁ ଅଧିକ ଲୋକଙ୍କୁ କୃଷି ହିଁ ଜୀବିକା ଯୋଗାଇଥାଏ । ଗତ ଦୁଇ ଦଶନ୍ଧିରେ ଓଡ଼ିଶା କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲା । ୨୦୦୦ ମସିହାରେ ଚାଉଳ ପାଇଁ ଅନ୍ୟ ଉପରେ ନିର୍ଭର କରୁଥିବା ଓଡ଼ିଶା ଆଜି ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଚାଉଳ ଯୋଗାଣରେ ଏକ ପ୍ରମୁଖ ରାଜ୍ୟ ହୋଇପାରିଛି । କୃଷି କ୍ଷେତ୍ରରେ ବୈଷୟିକ ବିଦ୍ୟାର ପ୍ରୟୋଗ ଓ ସାର ବିହନ ଆଦିର ଉତ୍ତମ ବଣ୍ଟନ ଓଡ଼ିଶାକୁ ଏ ସଫଳତା ଆଣି ଦେଇଥିଲା ।
ଓଡ଼ିଶାରେ ୭.୯୪ ଲକ୍ଷ ଟନ ସାର ମହଜୁଦ ଥିବା ରାଜ୍ୟ ସରକାର ଦାବି କରୁଥିବା ବେଳେ ଚାଷୀ ନିକଟରେ ସାର ପହଞ୍ଚିପାରୁନି । ୟୁରିଆ ସରକାରୀ ଦର ଠାରୁ ଉଚ୍ଚ ଦାମରେ ବିକ୍ରି ହେଉଛି । ଓଡ଼ିଶା ସରକାରଙ୍କ ଏଜେନ୍ସି ମାର୍କଫେଡ଼ ଚାଷୀଙ୍କ ବଦଳରେ ଘରୋଇ ଡିଲରଙ୍କୁ ରିହାତିରେ ସାର ବିକୁଛି । ତେଣୁ ଚାଷୀ ଖରିଫ ଋତୁରେ ଚାଷ କାମ ଛାଡି ସାର ପାଇଁ ରାଜରାସ୍ତାକୁ ଓହ୍ଲାଇବା ଚିନ୍ତାର ବିଷୟ । ଯୋଗାଣ ବ୍ୟବସ୍ଥାର କୁପରିଚାଳନା ସହିତ ସାର ଅଭାବ ଓ ଦୁର୍ନୀତି ଯୋଗୁଁ ଚାଷୀକୁ ଆଜି ଏ ଅବସ୍ଥାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସେ ଉଦବେଗ ପ୍ରକାଶ କରିଛନ୍ତି ।
ସେହିପରି ତାଳଚେର ସାର କାରଖାନା ବିଷୟରେ ଉଲ୍ଲେଖ କରି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ୨୦୧୮ରେ ଶିଳାନ୍ୟାସ କରାଯାଇଥିବା ତାଳଚେର ସାର କାରଖାନା ୩୬ ମାସରେ ଶେଷ ହେବ ବୋଲି ଘୋଷଣା କରାଯାଇଥିଲେ ବି ସାତ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇ ନ ପାରିବା ଦୁଃଖର ବିଷୟ । ଖରିଫ ଋତୁ ଆରମ୍ଭରେ ସାର ଅଭାବ ତଥା ଯୋଗାଣରେ ଚାଲିଥିବା ଅବ୍ୟବସ୍ଥା ଓ ଦୁର୍ନୀତିକୁ ରୋକିବାକୁ ଯଦି ସମୟୋଚିତ ପଦକ୍ଷେପ ନିଆ ନ ଯାଏ ତେଵେ କୃଷି ଉତ୍ପାଦନରେ ବ୍ୟାଘାତ ଚାଷୀ କୂଳକୁ ଏହା ପ୍ରଭାବିତ କରିବ।
ସାର ଅଭାବ ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ
