ଆରମ୍ଭ ହେବ ଅଲିଭ୍-ରିଡଲେଙ୍କ ପ୍ରଜନନ ପ୍ରକ୍ରିୟା, ନଭେମ୍ବରରୁ ୭ ମାସ ଧରି ମାଛମରା ବନ୍ଦ

ଭଦ୍ରକ: ଆଉ କିଛି ଦିନ ପରେ ଭଦ୍ରକର ବଙ୍ଗୋପସାଗର ଗହୀରମଥା ଅଞ୍ଚଳରେ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ଭିଡ ଜମିବ । ଅଲିଭ୍ ରିଡଲେଙ୍କ ଏନ୍ତୁଡ଼ିଶାଳଭାବେ ପ୍ରସିଦ୍ଧିଲାଭ କରିଥିବା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ ରିଡଲେଙ୍କର ପ୍ରଜନନ ପ୍ରକ୍ରିୟା ଆରମ୍ଭ ହେବ । ଅଲିଭ ରିଡଲେର ସୁରକ୍ଷା ଓ ନିରାପଦ ପ୍ରଜନନ ପ୍ରକ୍ରିୟାକୁ ନଜରରେ ରଖି ଧାମରା ଠାରୁ ଗହୀରମଥା ଯାଏ ବନବିଭାଗ ତରଫରୁ ବ୍ୟାପକ କଟକଣା ବ୍ୟବସ୍ଥା କରାଯାଉଛି ।ନଭେମ୍ବର ୧ ତାରିଖରୁ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ୭ ମାସ ଧରି ମାଛଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ଜାରି କରାଯାଇଛି । ୧୪୩୭ ବର୍ଗ କିଲୋମିଟର ପରିମିତ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ସମେତ ଧାମରା ମୁହାଁଣରୁ ଗହୀରମଥା ଯାଏ ୧୬୦ କିଲୋମିଟର ପର୍ଯ୍ୟନ୍ତ ଲାଗିବ। ପୂର୍ବରୁ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ତମାମ ଟ୍ରଲର ଚଳାଚଳ ଓ ମାଛଧରା ଉପରେ ସଂପୂର୍ଣ୍ଣ ନିଷେଧ ଥିବାବେଳେ କଇଁଛଙ୍କ ଅଣ୍ଡାଦାନ ସମୟରେ ମତ୍ସ୍ୟବିଭାଗ ପକ୍ଷରୁ ଧାମରା ମୁହାଁଣ ସମୁଦ୍ରକୂଳ ଠାରୂ ୨୦ କିମି ଯାଏଁ ଯନ୍ତ୍ରଚାଳିତ ଟ୍ରଲର, ବୋଟ, ଭୁଟୁଭୁଟି ଚଳାଚଳ ବନ୍ଦ ସହିତ ମାଛ ଧରା ଉପରେ କଟକଣା ଜାରି କରାଯାଇଛି ।ଏହା ସହିତ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ବନବିଭାଗ ସମେତ କୋଷ୍ଟଗାର୍ଡ, ମେରାଇନ ପୁଲିସ୍, ମତ୍ସ୍ୟ ବିଭାଗ ପକ୍ଷରୁ ମିଳିତ ପାଟ୍ରୋଲିଂ ହେବ । ବାବୁବାଲି ଓ ଅଗରନାଶିରେ ଦୁଇଟି ଅଫିସର ଓ ୧୪ଟି ସ୍ଥାନରେ ଟ୍ରଲର ପ୍ରୋଟେକ୍ସନ କ୍ୟାମ୍ପ କରାଯିବ ବୋଲି ଡିଏଫଓ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *