ଭୁବନେଶ୍ୱର: କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବୁଧବାର ସନ୍ଧ୍ୟାରେ ଆକାଶରେ ଚଳିତ ବର୍ଷର ଦ୍ୱିତୀୟ ‘ସୁପରମୁନ୍’ ଦେଖାଯିବ। ଏହା ସାଧାରଣ ପୂର୍ଣ୍ଣଚନ୍ଦ୍ରଠାରୁ ପ୍ରାୟ ୭ ଶତାଙ୍ଶ ବଡ଼ ଏବଂ ୧୫ ଶତାଙ୍ଶ ଅଧିକ ଉଜ୍ଜ୍ୱଳ ଦେଖାଯିବ। ଏହା ଏକ ବିରଳ ଓ ସୁନ୍ଦର ମହାଜାଗତିକ ଘଟଣା ଯାହାକୁ ଖାଲି ଆଖିରେ ଦେଖିପାରିବେ। ଯଦି ଆକାଶ ମେଘମୁକ୍ତ ଥାଏ, ଓଡ଼ିଶା ସହିତ ସମଗ୍ର ଭାରତରୁ ଏହାକୁ ରାତି ସାରା ଉପଭୋଗ କରିହେବ। ବିଜ୍ଞାନୀମାନଙ୍କ କହିବା ଅନୁସାରେ, ସୁପରମୁନ୍ର କୌଣସି ପ୍ରଭାବ ପୃଥିବୀ କିମ୍ବା ମନୁଷ୍ୟଜୀବନ ଉପରେ ପଡ଼େ ନାହିଁ।ସୁପରମୁନ୍ କ’ଣ?୧୯୭୯ ମସିହାରେ ଆମେରିକୀୟ ଜ୍ୟୋତିଷୀ ରିଚାର୍ଡ ନଲ୍ ‘ସୁପରମୁନ୍’ ଶବ୍ଦଟିକୁ ପ୍ରଚଳିତ କରିଥିଲେ। ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡାକୃତି ପଥରେ ପରିଭ୍ରମଣ କରେ ଏବଂ ପ୍ରାୟ ୨୯ ଦିନରେ ଥରେ ପୂର୍ଣ୍ଣିମା ପଡ଼ିଥାଏ। ଏହି ଅଣ୍ଡାକୃତି ପଥରେ ଚନ୍ଦ୍ର କେବେ ଆମଠାରୁ ଦୂରେ, କେବେ ନିକଟରେ ଥାଏ। ନିକଟତମ ସ୍ଥିତିରେ ଚନ୍ଦ୍ର ପୃଥିବୀଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ଥାଏ।ରିଚାର୍ଡ ନଲ୍ଙ୍କ ନିର୍ଦ୍ଦେଶ ଅନୁସାରେ, ଯେତେବେଳେ ଚନ୍ଦ୍ର ପୃଥିବୀଠାରୁ ସାଧାରଣ ଦୂରତାର ୧୦ ଶତାଙ୍ଶ କିମ୍ବା ତା’ଠାରୁ କମ୍ ଦୂରରେ ଥିବା ସମୟରେ ପୂର୍ଣ୍ଣିମା ପଡ଼େ, ସେହି ଚନ୍ଦ୍ରକୁ ‘ସୁପରମୁନ୍’ କୁହାଯାଏ। ଅର୍ଥାତ୍, ଯଦି ଚନ୍ଦ୍ର ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥାଏ, ତାହାହେଲେ ସେହି ଦିନର ପୂର୍ଣ୍ଣଚନ୍ଦ୍ର ‘ସୁପରମୁନ୍’ ହୁଏ। ଏହି ସମୟରେ ଚନ୍ଦ୍ର ଆକାଶରେ ବଡ଼ ଓ ଅଧିକ ଉଜ୍ଜ୍ୱଳ ଦେଖାଯାଏ।ବର୍ଷକୁ ଅନେକ ଥର ଘଟେ ଏଭଳି ଘଟଣାପ୍ରାୟ ପ୍ରତିବର୍ଷ ୨ ରୁ ୪ ଥର ସୁପରମୁନ୍ ଦେଖିବାକୁ ମିଳେ। ୨୦୨୫ ମସିହାରେ ମୋଟ୍ ୩ଟି ସୁପରମୁନ୍ ହେବ — ପ୍ରଥମ ହୋଇସାରିଛି, ଦ୍ୱିତୀୟଟି ଆଜି ନଭେମ୍ବର ୫ରେ, ଏବଂ ଶେଷଟି ଡିସେମ୍ବର ୪ରେ ଦେଖାଯିବ। ଆଗାମୀ ବର୍ଷ ୨୦୨୬ରେ ମଧ୍ୟ ୩ଟି ସୁପରମୁନ୍ ଦେଖିବାକୁ ମିଳିବ — ଜାନୁଆରୀ ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ରେ।
ଆଜି ଆକାଶରେ ଦେଖାଯିବ ‘ସୁପରମୁନ୍’: ଚଳିତ ବର୍ଷର ଦ୍ୱିତୀୟ ବିରଳ ଦୃଶ୍ୟ
Oplus_131072
